ବାଲିଗୁଡ଼ା : କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ ଜନ୍ମ ଏକ ପୁରୁଣା ପରମ୍ପରା ଓ ଭକ୍ତିର ନିଆରା ପ୍ରତୀକ। ଏହି ପରମ୍ପରାକୁ ଆଜି ମଧ୍ୟ ଆଗେଇ ନେଇଛନ୍ତି ଗାଁଠୁ ସହର ପର୍ଯ୍ୟନ୍ତ ଲୋକେ। ଭାଗବତ ଜନ୍ମ ଅବସରରେ ମନ୍ଦିର, ମଣ୍ଡପ, ଘର ଓ ଭାଗବତ ଟୁଙ୍ଗୀ ଗୁଡ଼ିକରେ ଭକ୍ତିମୟ ପରିବେଶ ସହ ‘ହରିବୋଲ’, ‘ହୁଳହୁଳି’ ଓ ନାମସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ। ସକାଳୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ଭାଗବତ ପାଠ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଭାଗବତ ଟୁଙ୍ଗୀ ଗୁଡ଼ିକରେ ଭକ୍ତମାନଙ୍କ ସମାଗମ ସାଙ୍ଗକୁ ନାମସଂକୀର୍ତ୍ତନ ଓ ଭଜନରେ ପରିବେଶ ମୁଖରିତ ହୋଇଥିଲା। ଘରେ ଘରେ ମଧ୍ୟ ଶ୍ରଦ୍ଧାଳୁମାନେ ଭାଗବତ ପାଠ କରି ଏହି ପବିତ୍ର ଦିନକୁ ପାଳନ କରିଥିଲେ। ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଭାଗବତ ପରମ୍ପରାକୁ ଜୀବନ୍ତ ରଖିବାରେ ଭାଗବତ ଟୁଙ୍ଗୀ ଗୁଡ଼ିକର ଭୂମିକା ଆଜି ମଧ୍ୟ ଅନନ୍ୟ ରହିଛି।
