କୋଟପାଡ଼: ଲଗାଣ ବର୍ଷା ସାଙ୍ଗକୁ ଉପରମୁଣ୍ଡ ଇନ୍ଦ୍ରାବତୀ ଡ୍ୟାମ୍ରୁ ବଳକା ଜଳ ନିଷ୍କାସନ ଯୋଗୁଁ କୋଟପାଡ଼ ବ୍ଲକରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀକୂଳିଆ ତଳିଆ ଅଞ୍ଚଳଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ପ୍ରଶାସନିକ ସୂଚନା ଅନୁଯାୟୀ, ବ୍ଲକର ପ୍ରାୟ ୮ଟି ପଞ୍ଚାୟତ ଯଥା ଚାନ୍ଦିଲି, ସୁତିପଦର, ଢାମନାହାଣ୍ଡି, ଷଡ଼ରଙ୍ଗା, ଗୁଆଳି, ଗୁମୁଣ୍ଡା, ଗିର୍ଲ୍ଲା ଏବଂ ବତାସନାରେ ବନ୍ୟାଜଳ ପ୍ରବେଶ କରି ଲୋକଙ୍କ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହିସବୁ ପ୍ରଭାବିତ ପଞ୍ଚାୟତରୁ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଘେରରେ ଫସି ରହିଥିବା ଅନ୍ୟ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ (ODRAF) ଟିମ୍ ନିୟୋଜିତ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ବନ୍ୟା ପାଣି ମାଡ଼ିଯିବା ଫଳରେ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଛି। ଗତକାଲି ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତି ତଥା ସ୍ଥିତିର ତୃଣମୂଳ ସମୀକ୍ଷା କରିଛନ୍ତି। ଆଶ୍ରୟସ୍ଥଳୀରେ ଥିବା ତଥା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବନ୍ୟା ସ୍ଥିତି ଉପରେ ପ୍ରଶାସନ କଡ଼ା ନଜର ରଖିଛି।
