ଆଫଗାନିସ୍ତାନ ସେନା ଗୁଳିରେ ଖସିଲା ପାକିସ୍ତାନୀ F-16 ଯୁଦ୍ଧ ବିମାନ

newyr25

ନୂଆଦିଲ୍ଲୀ: ପାକିସ୍ତାନକୁ ଶକ୍ତ ଧକ୍କା । ଆଫଗାନିସ୍ତାନ ସେନା ଗୁଳିରେ ଖସିଲା ପାକିସ୍ତାନୀ F-16 ଯୁଦ୍ଧ ବିମାନ । ଆଫଗାନିସ୍ତାନର ଏୟାରସ୍ପେଶ ଉଲ୍ଲଂଘନ କରି ଏଣ୍ଟ୍ରି କରିଥିବା ପାକିସ୍ତାନ ବାୟୁସେନାର ଏକ F-16 ଯୁଦ୍ଧ ବିମାନକୁ ଆଫଗାନିସ୍ତାନ ସେନା ଗୁଳି କରି ଖସାଇ ଦେଇଛି । ପାକିସ୍ତାନ ପକ୍ଷରୁ କାବୁଲ ଓ କାନ୍ଦାହାର ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ର ଜବାବରେ ଆଫଗାନିସ୍ତାନ ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ଆହୁରି ଭୟଙ୍କର ରୂପ ନେଇଛି । ସେପଟେ ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଖୋଲା ଯୁଦ୍ଧ ଘୋଷଣା । ଧୈର୍ଯ୍ୟର ସୀମା ପାର ହୋଇଯାଇଥିବା କହି ଖୋଲା ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ଆଫଗାନିସ୍ତାନର କାବୁଲ, କାନ୍ଦାହାର ଏବଂ ପାକ୍ତିଆ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ ପରେ ସାମ୍ନାକୁ ଆସିଛି ପାକିସ୍ତାନର ମନ୍ତ୍ରୀଙ୍କ ବଡ଼ ବୟାନ । ଏହି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି। ଆଫଗାନିସ୍ତାନ – ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି । କାଲି ଆଫଗାନିସ୍ତାନର ଆକ୍ରମଣ ପରେ ଆଜି ଭୀଷଣ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ।

‘ଅପରେସନ ଗଜବ-ଲିଲ୍-ହକ୍’ ଜରିଆରେ ଆଫଗାନିସ୍ତାନର ମିଲିଟାରୀ କ୍ୟାମ୍ପ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରୁଛି ପାକିସ୍ତାନ । ରାତିରେ ତାଲିବାନ ସେନା ପାକିସ୍ତାନୀ ସୀମା ଉପରେ କରିଥିବା ଆକ୍ରମଣର ଜବାବରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିବା କହିଛି ପାକିସ୍ତାନ । କାଲି ଆଟାକରେ ୫୫ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଛି । ଏହା ସହ ଏକାଧିକ ସୈନ୍ୟଙ୍କୁ ବନ୍ଦୀ ରଖିବା ସହ ୧୯ ପାକିସ୍ତାନୀ ସେନା ଆଉଟପୋଷ୍ଟ ଏବଂ ଗୋଟିଏ ହେଡକ୍ବାର୍ଟର କବଜା କରିଥିବା ଦାବି କରିଛି ତାଲିବାନ ସେନା । ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସକାଳୁ ବିମାନ ଆକ୍ରମଣ ଆରମ୍ଭ କରିଛି । ଆକ୍ରମଣରେ ୧୫୦ ରୁ ଅଧିକ ତାଲିବାନ ସଦସ୍ୟ ନିହତ ଏବଂ ପ୍ରାୟ ୨୦୦ ରୁ ଅଧିକ ଆହତ ହୋଇଥିବା ପାକିସ୍ତାନ ଦାବି କରିଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଆକ୍ରମଣକୁ ‘କାପୁରୁଷୋଚିତ’ ବୋଲି କହିବା ସହ ପାକିସ୍ତାନ ବିରୋଧରେ ପାଲଟା ଆକ୍ରମଣ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି ।

ତାଲିବାନ ପକ୍ଷରୁ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନଥିବା କୁହାଯାଇଛି । ସୋସିଆଲ ମିଡିଆରେ କାବୁଲ ଓ କାନ୍ଦାହାର ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡୁଥିବାର ଭିଡିଓ ସାମ୍ନାକୁ ଆସୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାବୁଲରେ ପ୍ରାୟ ୮ଟି ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ​କିଛି ଦିନ ପୂର୍ବରୁ ପାକିସ୍ତାନ ସେନା ଆଫଗାନିସ୍ତାନର ନଙ୍ଗରହାର ଏବଂ ପାକ୍ତିଆ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା । ପାକିସ୍ତାନର ଦାବି ଥିଲା ଯେ ସେମାନେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ଆଫଗାନିସ୍ତାନର କହିବା ଅନୁଯାୟୀ, ଏହି ଆକ୍ରମଣରେ ଅନେକ ନିରୀହ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଆଗକୁ ଏହା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.