
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ଶିମିଳିପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତା ମହିଳା ଜଣକ ହେଲେ ଝରଣା ବେହେରା। ସେ ୬ ମାସ ତଳେ ଶିମିଳିପାଟଣାର ମାନସ ବେହେରାଙ୍କୁ ବିବାହ କରିଥିଲେ। ଶନିବାର ଶାଶୁଘରୁ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଝରଣାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି।
ବାପଘର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଝରଣାଙ୍କୁ ଗର୍ଭପାତ କରାଇବାକୁ ମାନସ ବାଧ୍ୟ କରାଇଥିଲେ। ସେ ରାଜି ନ ହେବାରୁ ମାନସ ତାଙ୍କୁ ମିଛ କହି ଗର୍ଭନିରୋଧକ ଔଷଧ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରଠୁ ସ୍ଵାମୀ ମାନସ ଫେରାର ଅଛନ୍ତି। ଝିଅକୁ ଯୌତୁକ ନିର୍ଯାତନା ଦିଆଯିବା ସହିତ ମାନସଙ୍କର ପରକୀୟା ପ୍ରୀତି ଥିବା ଝରଣାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାନସଙ୍କ ବଡ଼ ଭାଇକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।