ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

youtube

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଅକ୍ଟୋବର ୩୧ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ‘ସଞ୍ଚୟ ପକ୍ଷ’ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଏହି ଶିବିରର ଆୟୋଜନ କରାଯାଇଥିଲା।

ଶିବିରର ପ୍ରାରମ୍ଭରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଭିମାନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) ଏବଂ ଡାକଘର ମାସିକ ଆୟ ଯୋଜନା (POMIS) ସମେତ ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକ ଓ ପେନସନଭୋଗୀମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ରେଭିନ୍ୟୁ ଆଇ.ବି, ବ୍ରହ୍ମପୁର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ସାଇବର କ୍ରାଇମ ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମହାରଣା ଏବଂ ଶ୍ରୀଯୁକ୍ତ ଅଜିତ୍ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟର ଗୁରୁତ୍ୱ ଏବଂ ସାଇବର ଠକାମୀରୁ କିପରି ସତର୍କ ରହିହେବ, ସେ ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଭିମାନ ସାହୁ ସଫଳତାର ସହ ପରିଚାଳନା କରିଥିଲେ। ଏହି ଶିବିର ମାଧ୍ୟମରେ ବରିଷ୍ଠ ନାଗରିକ ଓ ପେନସନଭୋଗୀମାନେ ଆର୍ଥିକ ସୁରକ୍ଷା ଓ ସାଇବର ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ସୂଚନା ଲାଭ କରିପାରିଛନ୍ତି।

Leave A Reply

Your email address will not be published.