
ନବରଙ୍ଗପୁର: ମୋ ସ୍ତ୍ରୀକୁ ଇଂଜେକ୍ସନ ଦେଇଥିଲେ ନର୍ସ । ମୋ ସ୍ତ୍ରୀ ସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ଇଞ୍ଜେକ୍ସନ ନେବାର କିଛି ସମୟ ଭିତରେ ହିଁ ଚାଲିଗଲା ମୋ ଗର୍ଭବତୀ ସ୍ତ୍ରୀର ଜୀବନ । ଏକଥା ଆମେ କହୁନୁ ଆଜ୍ଞା ଏଭଳି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଇଛନ୍ତି ଜଣେ ସ୍ୱାମୀ ।
ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏବେ ଘଟଣାକୁ ନେଇ ସିଡିଏମଓଙ୍କୁ ଭେଟିଛନ୍ତି ମୃତକଙ୍କ ପରିବାର । ତେବେ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ମୃତକଙ୍କ ସ୍ବାମୀ । ଏଭଳି ଅଭିଯୋଗ କରିଛନ୍ତି ପାପଡାହାଣ୍ଡି ବ୍ଳକର ଗାଦବାକତରା ଗାଁର ମୃତ ମହିଳାଙ୍କ ସ୍ବାମୀ ବିଶ୍ବଜିତ ନାୟକଙ୍କ ଓ ତାଙ୍କ ପରିବାର । ସିଡିଏମଓ ଡ.ସନ୍ତୋଷ ପଣ୍ଡାଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବିଶ୍ୱଜିତଙ୍କ ୩୦ ବର୍ଷିୟ ସ୍ତ୍ରୀ ମୋନାଲିସା ନାୟକଙ୍କୁ ପ୍ରସବ କାଳୀନ ଚିକିତ୍ସା ପାଇଁ ୨୮ ଅକ୍ଟୋବର ରାତି ୯ଟାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆମ୍ବୁଲାନ୍ସରେ ଆଣିବା ବେଳେ ତାଙ୍କ ଗର୍ଭବତୀ ସ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଏପରିକି ଆମ୍ବୁଲାନ୍ସରୁ ନିଜେ ଚାଲିଚାଲି ଡାକ୍ତରଖାନା ବି ଯାଇଥିଲେ । ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଅନୁପସ୍ଥିତ ଥିଲେ ଡାକ୍ତର । ଏହାରି ଭିତରେ ଦୁଇଜଣ ନର୍ସ କୌଣସି ଏକ ଇଞ୍ଜେକ୍ସନ ନେଇ ମୋନାଲିସାଙ୍କୁ ଦେଇଥିଲେ । କିନ୍ତୁ ଇଞ୍ଜେକ୍ସନ ଦେବାର ଅଳ୍ପ ସମୟ ମଧ୍ୟରେ ତାଙ୍କ ଶରୀରରେ ପ୍ରତିକ୍ରିୟା ହୋଇଥିଲା । ଆଉ ଦେଖୁ ଦେଖୁ ହଠାତ୍ ମୋନାଲିସାଙ୍କର ଜୀବନ ଚାଲିଯାଇଥିଲା ।
ଇଞ୍ଜେକ୍ସନ ନେବା ପରେ ମହିଳା ଜଣକ ଅସୁସ୍ଥ ଅନୁଭବ କରିଥିବା କହିଥିଲେ। କିନ୍ତୁ ଇଞ୍ଜେକ୍ସନର ପ୍ରତିକ୍ରିୟା ପରେ ଆବଶ୍ୟକ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଜରୁରୀକାଳୀନ ପରସ୍ଥିତିରେ ଗର୍ଭବତୀଙ୍କ ପାଖରେ ଡାକ୍ତର ଅନୁପସ୍ଥିତ ଥିଲେ । ଏହି କାରଣରୁ ଅକାଳରେ ମହିଳା ଜଣକ ଆଖିବୁଜି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଚିକିତ୍ସାରେ ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ ସିଡିଏମଓ ଡ. ସନ୍ତୋଷ କୁମାର ପଣ୍ଡା ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଏନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ଅଭିଯୋଗ ଅନୁସାରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ନହେଲେ ଭୁଲ କାହାର ସ୍ପଷ୍ଟ ହେବ କେମିତି ? ରୋଗୀ ଓ ଡାକ୍ତରଙ୍କ ଭିତରେ ଏମିତି ଟଣା ଓଟରା ଚାଲିଥିବ । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ।