ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

youtube

ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍‌ ୧୨୧ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ୧୩୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ  ନିଜ ସପକ୍ଷକୁ ଆଣିବାପାଇଁ ଦମ୍‌ ଲଗାଇ ଦେଇଛନ୍ତି। ଶାସକ ଏନ୍‌ଡିଏ ମେଣ୍ଟ‌ରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି), ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍‌) ଏବଂ ଆଲ୍‌ଏଲ୍‌ଏମ୍‌(ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ଥିବ‌ାବେଳେ ବିରୋଧୀ ମହାମେଣ୍ଟରେ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି), ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ବାମ ଦଳ ସିପିଆଇ, ସିପିଆଇ-ଏମ୍‌ଏଲ ଏବଂ ସିପିଆଇ(ଏମ୍‌) ଅଛି। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ, ୨ ଜଣ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ରାଟ ଚୌଧାରୀ ଏବଂ ବିଜୟ ସିହ୍ନା, ମନ୍ତ୍ରୀ ନୀତିନ ରବିନ ଏବଂ ମଙ୍ଗଳ ପାଣ୍ଡେ, ବିଜେପିର ମୈଥିଳୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବଙ୍କ ସମେତ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜେଡିୟୁ ପାଇଁ ଏକ ଏସିଡ ଟେଷ୍ଟ୍‌ ଭଳି ହେବ। କାରଣ ଦଳ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୫୭ଟି ଆସନରେ ନିର୍ବାଚନ ଲଢ଼ୁଛି। ଏହି ୫୭ଟି ଆସନରୁ ୨୩ ଆସ‌ନରେ ଜେଡିୟୁ ୨୦୨୦ରେ ଜିତିଥିଲା।

ଇତିମଧ୍ୟରେ ପ୍ରମୁଖ ଦଳର ରାଜନେତାମାନେ  ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋର୍‌ଦାର୍‌ ପ୍ରଚାର  ଆରମ୍ଭ କରିଦେଇଛନ୍ତି। ରାଜନେତାମାନେ  ନିର୍ବାଚନ ରାଲି ସହ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପାଟନାରେ ଏକ ରୋଡ୍‌ସୋ କରିଥିଲେ ଏବଂ ୨ଟି ବୈଠକ କରିଥିଲେ। ମୋଦୀ ଆଜି ସହର୍ସା ଏବଂ କଟିହାରରେ ନିର୍ବାଚନ ରାଲି କରିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶିବହର, ସୀତାମଢ଼ି ଏବଂ ମଧୁବନୀରେ   ରାଲି କରିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ମହାମେଣ୍ଟ ପ୍ରାର୍ଥୀଙ୍କ ସମର୍ଥନରେ ସହର୍ସାରେ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିହାରରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍‌ ୨୬୧୬ ପ୍ରାର୍ଥୀ ଅଛନ୍ତି।   

Leave A Reply

Your email address will not be published.