
ଆମେରିକା ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍ MD-11 ମାଲବାହୀ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ । ପ୍ଲେନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଥିଲା ।
ଦୁର୍ଘଟଣା ପରେ ପ୍ଲେନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡିଥିଲା । ପରେ ବଡ଼ ବିସ୍ପୋରଣ ହୋଇଥିବା ବେଳେ କେଣ୍ଟୁକି ପେଟ୍ରୋଲିୟମ ରିସାଇକ୍ଲିଂ ଏବଂ ଗ୍ରେଡ୍ A ଅଟୋ ପାର୍ଟସ୍ ସମେତ ବିଭିନ୍ନ ଶିଳ୍ପ କାରଖାନାକୁ ନିଆଁ ବ୍ୟାପିଥିଲା । ଦୁର୍ଘଟଣା ପୂର୍ବରୁ ବିମାନକୁ ଉପରକୁ ଉଠାଇବାକୁ ଉଦ୍ୟମ କରିଥିଲେ ପାଇଲଟ । ହେଲେ ଶେଷ ମୁହୂର୍ତ୍ତରେ ବିମାନ ଉପରେ ନିୟନ୍ତ୍ରଣ ପାଇନଥିଲେ ପାଇଲଟ । ତେବେ ଦୁର୍ଘଟଣାରେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କହିଛନ୍ତି କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିୟର ।