
ବ୍ରହ୍ମପୁର : ଆଇନଜୀବୀ ସ୍ୱର୍ଗତ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୩୨ ଦିନ ପୂରିଥିବା ବେଳେ ଏହି ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ପୀତବାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ୨୦୯ ଜଣ ଆଇନଜୀବୀ ତାଙ୍କ ସପକ୍ଷରେ ଓକିଲାତିନାମା ଦାଖଲ କରିଥିବା ବେଳେ, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସପକ୍ଷରେ ୪୪ରୁ ଉର୍ଦ୍ଧ୍ୱ ଓକିଲ ଲଢ଼ିବା ପାଇଁ ଓକିଲାତିନାମା ଦାଖଲ କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୃତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସପକ୍ଷରେ ୨୦୯ ଜଣ ଓକିଲ ଏକଜୁଟ ହୋଇ ମାମଲା ପରିଚାଳନା କରିବାକୁ ଆଗେଇ ଆସିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଶିଶିର ପାଢ଼ୀ କହିଛନ୍ତି ଯେ ମାନବିକତା ଦୃଷ୍ଟିରୁ ଏବଂ ଜଣେ ଆଇନଜୀବୀଙ୍କୁ ହତ୍ୟା କରାଯାଇଥିବାରୁ ସେମାନେ ପୀତବାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଏକତ୍ରିତ ହୋଇଛନ୍ତି। ସେମାନେ ମାମଲାର ସଠିକ୍ ପରିଚାଳନା ପାଇଁ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କ ସପକ୍ଷରେ ମଧ୍ୟ ୪୪ରୁ ଉର୍ଦ୍ଧ୍ୱ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ ଆଇନଜୀବୀଙ୍କ ବୃତ୍ତି ହେଉଛି ମାମଲା ଲଢ଼ିବା। ଯେକୌଣସି ଆଇନଜୀବୀ ଯେକୌଣସି ମାମଲା ଲଢ଼ି ପାରିବେ। ସେ ଏହା ମଧ୍ୟ ଅନୁମାନ କରିଛନ୍ତି ଯେ ଏହି ଘଟଣା ପଛରେ କିଛି ରାଜନୈତିକ ଅଭିସନ୍ଧି ରହିଛି। ସେ ପୋଲିସକୁ ପ୍ରକୃତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି। ବିକ୍ରମଙ୍କ ଅନ୍ୟ ଜଣେ ଓକିଲ ତାଙ୍କୁ ତୁରନ୍ତ ରିଲିଜ୍ କରିବାକୁ ପିଟିସନ ଦାଖଲ କରିଥିବା ଜଣାପଡିଛି, କାରଣ ତାଙ୍କର କୌଣସି ଭୁଲ୍ ନାହିଁ। ସ୍ୱର୍ଗତ ପୀତବାସଙ୍କ ସାନ ଭାଇ ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବିକ୍ରମ ପଣ୍ଡାଙ୍କ ଓକିଲ ଯାହା କହୁଛନ୍ତି ତାହା ଭୁଲ କି ଠିକ୍ ତାହା ଅଦାଲତରେ ବିଚାର ହେବ। ପରିବାର ନ୍ୟାୟର ଆଶାରେ ରହିଛି। ଏହି ମାମଲା ଏବେ ନ୍ୟାୟିକ ପ୍ରକ୍ରିୟାରେ ରହିଥିବା ବେଳେ, ଏତେ ସଂଖ୍ୟକ ଓକିଲଙ୍କ ସମ୍ପୃକ୍ତି ଏହି ମାମଲାକୁ ଆହୁରି ଜଟିଳ ଓ ଚର୍ଚ୍ଚିତ କରିଛି। ପୋଲିସ ତଦନ୍ତ କରୁଛି ଏବଂ ନ୍ୟାୟାଳୟର ରାୟ ଉପରେ ସମସ୍ତଙ୍କ ନଜର ରହିଛି।
`