
ଉଦଳା: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର ହେଲେ ଚାଷୀଙ୍କ ସୁଖ ବଦଳରେ ଦୁଃଖ ଆଣି ଦେଇଛି । ଚାଷୀ ଏ ବର୍ଷ ଭଲ ଧାନ ଅମଳ ଅପେକ୍ଷାରେ ଥିଲା । ହେଲେ ଚକଡା ପୋକ ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ପ୍ରତିଷେଧକ ଔଷଧ ବ୍ୟବହାର କରୁଥିଲେ ମଧ୍ୟ ଚକଡା ପୋକ କମିବାରେ ନା ଧରୁନି ।ଏକର ଏକର ଜମିରେ ଧାନ ଫସଲକୁ ନଷ୍ଟ କରୁଛି ଚକଡା । ଚକଡା ପୋକର ପ୍ରଭାବରେ ଧାନ ଗଛ ପୁରା ଶୁଖିଲା ହେବା ସହ ଧାନ ଅଗାଡି ହୋଇ ଗଲାଣି । ତେବେ ଏ ବର୍ଷ ଧାନ ଅମଳ ଠିକ ଭାବେ ହୋଇଥିବା ବେଳେ ଚାଷୀ କେମିତି ଧାର କରଜ ସୁଝିବ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛି ।
ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ । କପ୍ତିପଦା ଉପଖଣ୍ଡରେ ଅନେକ ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ ଏ ବର୍ଷ ଚକଡା ଚାଷୀଙ୍କ ନିଦକୁ ହଜାଇ ଦେଇଛି । ଅଧିକ ପରିମାଣରେ ଧାନ ଫସଲରେ ଚକଡା ଲାଗିଥିବାରୁ ଚାଷୀ ଆଉ ଧାନ ଜମିରୁ ମୁହଁ ଫେରାଇଲାଣି ।କପ୍ତିପଦା ଉପଖଣ୍ଡର ନୁଦଢ଼ିହା, କୁକୁରଢୀମା, ପୋଡ଼ାଢିଆ, କଉଁରପାଳ, ମାଣଦି ପରି ବିଭିନ୍ନ ଗ୍ରାମରେ ଶତାଧିକ ଚାଷୀଙ୍କ ଜମିରେ ଚକଡା ଲାଗିଥିବା ଅଭିଯୋଗ ହୋଇଛି । ଚକଡାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚି଼ହ୍ନଟ କରାଯିବା ସହ ସରକାରୀ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି କପ୍ତିପଦା ଉପଖଣ୍ଡର କୃଷି ଅଧିକାରୀ କହିଛନ୍ତି ।