
କଣ୍ଟାବାଞ୍ଜି: କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ନଥାନ୍ତି । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ । ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବେଶ । ଏମିତି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
କେନାଲ ବନ୍ଧରେ ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏ ଦୁର୍ଘଟଣା ହେଲା କେମିତି । ରାସ୍ତାରେ ଯାଉଥିବାବେଳେ କେମିତି କେନାଲକୁ ଖସି ପଡ଼ିଲେ ଯୁବକ । ସକାଳୁ ସକାଳୁ ଖବର ଆସିଲା ତୁମ ପୁଅ ଆଉ ଏ ଦୁନିଆରେ ନାହିଁ । ଘର ଲୋକ ଦୌଡ଼ିଲେ କେନାଲ ବନ୍ଧକୁ । ଯାଇ ଦେଖନ୍ତି ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ପୁଅ । ପାଖରେ ବାଇକ୍ ବି ପଡ଼ିଛି । ଏ ଦ୍ରୁଶ୍ୟ ଦେଖି ପାଦ ତଳୁ ଯେମିତି ମାଟି ଖସିଗଲା । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ତଦନ୍ତ ବି ଆରମ୍ଭ ହୋଇଗଲା ।
ତେବେ ବଙ୍ଗୋମୁଣ୍ଡା ଥାନା ପାତଲପଡା ଗାଁ ନିକଟରେ କେନାଲକୁ ବାଇକ ଖସିବା ପରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଧୁଣ୍ଡିମହୁଲ ଗାଁର ସୌମ୍ୟ ରଞ୍ଜନ ସାହୁ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ରାତିରେ ଭାରସାମ୍ୟ ହରାଇ କେନାଲ ଭିତରେ ବାଇକ ସହ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ବାଇକ ଆରୋହୀ ସୌମ୍ୟ ରଞ୍ଜନଙ୍କର ମୃତ୍ୟୁ ଘଟିଛି । ସକାଳୁ ଦୁର୍ଘଟଣା ଘଟିଥିବା ଜଣାପଡିବା ପରେ ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତ ଯୁବକଙ୍କ ପରିବାର ଲୋକେ ଖବର ପାଇ ପହଞ୍ଚିଥିଲେ । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଛି । ଏପଟେ ଘଟଣାର ତଦନ୍ତ କରୁଛି ବଙ୍ଗୋମୁଣ୍ଡା ପୋଲିସ ।
ଜୀବନର କି ଅବା ଭରସା… ଆଜି ଅଛି କାଲିକି ନାହିଁ.. । ସତରେ ମୃତ୍ୟୁକୁ କେହି ରୋକି ପାରି ନାହିଁ କି ଜିତି ପାରି ନାହିଁ । କିନ୍ତୁ ହଠାତ ଏମିତି ସୌମ୍ୟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ପରିବାର । ତେବେ ଏଭଳି ଅଚାନକ ଘରର ଭେଣ୍ଡିଆ ପୁଅର ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ।