ପୁରୀ ବାସିନ୍ଦାଙ୍କ ପାଇଁ ଦୁର୍ବିସହ ଶ୍ରୀଜିଉ ଦର୍ଶନ, ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ଆରମ୍ଭ

youtube

ପୁରୀ: ଶଙ୍ଖ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହେଉଛି ପୁରୀ । କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ରରେ ଜନ୍ମ ମିଳିଥାଏ । ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ହେଉଛି ପୁରୀ । ପ୍ରତିଦିନ ପୁରୀ ସହରବାସିନ୍ଦା ମଙ୍ଗଳ ଆଳତୀ ବା ବଡ଼ ସିଂହାର ବେଶ ଦେଖିବା ପାଇଁ ଶ୍ରୀମନ୍ଦିର ଯାଇଥାନ୍ତି । ପୁରୀ ସହରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପରେ ତୁଳସୀ ଗ୍ରହଣ କରି ଅନ୍ନ ଗ୍ରହଣ କରିଥାନ୍ତି । କିନ୍ତୁ ଏବେ ଜଗା ଦର୍ଶନ ସତେ ଯେମିତି ଦୁର୍ବିସହ ହୋଇପଡିଛି। ବୃଦ୍ଧବୃଦ୍ଧାଙ୍କ କଥା ତ ଦୂରରେ ଥାଉ ସାଧାରଣ ପୁରୀ ବାସିନ୍ଦା ଏବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରୁନାହାନ୍ତି । ପୁରୀ ସହରବାସୀଙ୍କ ସୁବିଧା ଓ ଶୃଙ୍ଖଳିତ  ଦର୍ଶନ ପାଇଁ ପୁରୀରେ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ହୋଇଛି ପୁରୀ ବାସୀଙ୍କ ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ମଞ୍ଚ ।

ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ଏହାର ପ୍ରତିକାର ପାଇଁ ଗଠିତ ପୁରୀ ବାସୀଙ୍କ ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ମଞ୍ଚ ପକ୍ଷରୁ ସହରର ବୁଦ୍ଧିଜୀବୀଙ୍କୁ ନେଇ ଆଲୋଚନା କରାଯାଇଛି । ପୁରୀ ସହରବାସୀ କେଉଁ ଆବାହମାନ କାଳରୁ ଶ୍ରୀଜଗନ୍ନାଥଙ୍କୁ  ନିଜ ଘରର ଦେବତା ଭାବେ ଗ୍ରହଣ କରିଆସିଛନ୍ତି । ତା ସହ ବିନା ଦ୍ବିଧାରେ ମହାପ୍ରଭୁଙ୍କ ଦର୍ଶନ କରି ଆସୁଥିଲେ ପୁରୀ ବାସିନ୍ଦା। ବିନା ବାଧାରେ ଶ୍ରୀମନ୍ଦିରକୁ ଯାଇ ଆଣି ପାରୁଥିଲେ ମହାପ୍ରସାଦ । କିନ୍ତୁ ବର୍ତ୍ତମାନ ସମୟରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ଅସମ୍ଭବ ବୃଦ୍ଧି ଓ ସେମାନଙ୍କ ଦର୍ଶନ ଆଗ୍ରହକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଶୃଙ୍ଖଳିତ ଦର୍ଶନ ନିମିତ୍ତ ବିଭିନ୍ନ ବ୍ୟବସ୍ତାବଳୀ ଆପଣାଇଛନ୍ତି। ଯେଉଁଥିପାଇଁ ପୁରୀ ସହରବାସୀଙ୍କ ସୁଲଭ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ଉପୁଜିଛି ।

ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ସମସ୍ତ ବାରିକେଡ ମଧ୍ୟରୁ ଗୋଟିଏ ବାରିକେଡ ଲାଇନ ପୁରୀବାସୀଙ୍କ ପାଇଁ ଉଦ୍ଦିଷ୍ଟ ରଖି ଆଧାର କାର୍ଡ/ସ୍ବତନ୍ତ୍ର ପରିଚୟ ପତ୍ର  ଯାଞ୍ଚ କରି ପ୍ରବେଶ ଅନୁମତି ପ୍ରଦାନ କରି ଦର୍ଶନ ବ୍ୟବସ୍ଥା କରିବାକୁ ମଞ୍ଚର ଆଲୋଚନାରେ ମତ ପ୍ରକାଶ ପାଇଛି। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପୁରୀ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନ କଲେ ଏହା ଆଗାମୀ ଦିନରେ ଆନ୍ଦୋଳନର ରୂପ ନେଇପାରେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.