
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ ପୁଟବଗଡ଼ ସ୍ଥିତ ମା’ ସନ୍ତୋଷୀ ଲୋକ ନାଟ୍ୟ କଳା ସଂସଦ ପ୍ରଯୋଜିତ ତଥା ଗୁରୁ ଯୁଦ୍ଧିଷ୍ଠିର ନାହାକ ନିର୍ଦ୍ଦେଶିତ ଲୋକ ନାଟକ ‘ରାଧା ପ୍ରେମ ଲୀଳା’ ପରିବେଷୀତ ହୋଇଥିଲା। ଏଥିରେ ସନ୍ତୋଷୀ ପ୍ରଧାନ, ପୂଜା ପ୍ରଧାନ, ତୁଳସୀ ପ୍ରଧାନ, ନନ୍ଦିନୀ ବେହେରା, ପ୍ରିୟଙ୍କା ପ୍ରଧାନ, ଲିପୁ ପ୍ରଧାନ, ପ୍ରଭାକର ପ୍ରଧାନ, ଶୁଭଙ୍କର ପ୍ରଧାନ, ପୀତାମ୍ବର ଗୌଡ଼, ନାଲୁ ନାହାକ, ଏମ. ନିରଞ୍ଜନ ପ୍ରମୁଖ କଳାକାରମାନେ ସୁନ୍ଦର ଅଭିନୟ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମାଗତ କଳାକାରମାନଙ୍କୁ ଆପ୍ୟାୟିତ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଲୋକକଳାବିତ୍ ପଣ୍ଡିତ ବିଶ୍ୱନାଥ ଶତପଥୀ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ମାତ୍ର ଚାରି ପାଞ୍ଚ ବର୍ଷ ତଳେ ସୃଷ୍ଠ ମହାସଂଘ ଇତିମଧ୍ୟରେ ସମଗ୍ର କଳାକାର ସମାଜର ତ୍ରାଣକର୍ତ୍ତା ଭାବେ ଆତ୍ମ ପ୍ରକାଶ ମୂଳରେ କର୍ମକର୍ତ୍ତା ମାନଙ୍କ ନିଷ୍ଠା ଓ ଅଙ୍ଗିକାରବଦ୍ଧତା ବିଦ୍ୟମାନ ବୋଲି ମତପ୍ରକାଶ କରିଥିଲେ।
ବାର୍ଷିକୋତ୍ସବର ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଲୋକକଳାବିତ୍ ପଣ୍ଡିତ ଶତପଥୀ ମୂଖ୍ୟ ଅତିଥି, ବରିଷ୍ଠ ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କ୍ରିଏଟିଭ୍ ଆର୍ଟସ୍ ସମ୍ପାଦକ ନାଟ୍ୟକାର ମନୋଜ କୁମାର ପାଢ଼ୀ, ଦେଶିୟା ନାଟ୍ ଗୁରୁ ବାଲାଜୀ ପ୍ରସାଦ ସାମନ୍ତରା ପ୍ରମୁଖ ଯୋଗଦେଇ ମହାସଂଘ କାର୍ଯ୍ୟଧାରାର ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଗୁରୁଶ୍ରୀ ସତ୍ୟ ନାରାୟଣ ପାଣିଗ୍ରାହୀ, ସଦାକର କୁମ୍ଭାର, ବୃନ୍ଦାବନ ମେହେର, କ୍ଷମାନିଧି ଭୋଇ, କ୍ଷୀରସିନ୍ଧୁ ନାଗ, ଶମ୍ଭୁ ଚରଣ ଠାକୁର, ଧନଫୁଲ ଖରା ବାରିକ, ଭୀମସେନ ଖୁଡୁପିଆ, ରବୀନ୍ଦ୍ର ନାଥ ମହାପାତ୍ର, ନବକୃଷ୍ଣ ପଲାଇ, ମନୋଜ କୁମାର ପାଢ଼ୀ, ପ୍ରଭାତ କୁମାର ବେହେରା, ନକୁଳ ଚନ୍ଦ୍ର ସାନ୍ତା, ଗୁରୁ ରଙ୍କନିଧି ବେହେରା, କେ. ଲିଙ୍ଗରାଜୁ, ସୁବଳ ବାଗ, ତ୍ରିଲୋଚନ ପଲେଇ, ପ୍ରତିମା ସେଠ୍, ଦୀପ୍ ଶିଖା ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାରୁ ଆଗତ ପ୍ରତିଭାଦୀପ୍ତ କଳାକାର ମାନଙ୍କୁ ମହାସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ଜି. କାମରାଜୁ ପାତ୍ର, କାଳୁ ପାଣିଗ୍ରାହୀ, ସୁମତି ସାହୁ, ଚନ୍ଦ୍ରଭାନୁ ନାୟକ, ଦୀନବନ୍ଧୁ ପାତ୍ର, ସନାତନ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।