ରାଜ୍ୟ ସାମ୍ବାଦିକ ସଂଘ (SUJ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ : ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ

youtube

ବ୍ରହ୍ମପୁର: ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ଭାବରେ ପାଳନ କରାଯାଉଥିବା ଅବସରରେ, ରାଜ୍ୟ ସାମ୍ବାଦିକ ସଂଘ (SUJ)ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏହି ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି। ବ୍ରହ୍ମପୁର ସ୍ଥିତ ପୂର୍ତ୍ତ ଡାକବଙ୍ଗଳା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ବହୁ ବରିଷ୍ଠ ଓ ଯୁବ ସାମ୍ବାଦିକ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ସଂଘର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱନାଥ ମାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଖବର କାଗଜର ଦକ୍ଷିଣାଞ୍ଚଳ ମୁଖ୍ୟ ଶ୍ରୀ ଶିଶିର ପାଣିଗ୍ରାହୀ ଯୋଗଦେଇଥିଲେ। ସେ ସମ୍ପ୍ରତି ପରିସ୍ଥିତିରେ ସାମ୍ବାଦିକତା କ୍ଷେତ୍ରରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସାମ୍ବାଦିକ ଏକତ୍ରିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ, ଗଣମାଧ୍ୟମର ଗାରିମା ବଜାୟ ରଖିବା ପାଇଁ ସତ୍ୟନିଷ୍ଠ ଖବର ପରିବେଷଣ ଏକାନ୍ତ ଜରୁରୀ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସମ୍ପାଦକ ଶ୍ରୀ ହେମାଙ୍ଗ ପ୍ରସାଦ ରାଉଳ ଯୋଗଦେଇ ନିରପେକ୍ଷ ଏବଂ ନିର୍ଭିକ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ। ସେ ଆଜିର ଦିବସର ମହତ୍ୱ ଏବଂ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସାମ୍ବାଦିକମାନେ ସମାଜର ଦର୍ପଣ ଏବଂ ସେମାନଙ୍କର ପ୍ରତ୍ୟେକ ଖବର ସମାଜ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ।

ସଂଘର ସମ୍ପାଦକ ଶ୍ରୀ ଦିଗାମ୍ବର ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରଜିତ ପଣ୍ଡା, ଶ୍ରୀ ସି.ଏଚ୍ ମନୋଜ କୁମାର ପାତ୍ର, ଶ୍ରୀ ହିମାଂଶୁ ପାଢ଼ୀ, ଶ୍ରୀ ରୂପକ ମହାନ୍ତି, ଶ୍ରୀ ସନ୍ତୋଷ ପାଳ, ଶ୍ରୀ ଈଶ୍ୱର ସେଠି, ଶ୍ରୀ ଆଲୋକ ବେହେରା, ଶ୍ରୀ କପିଳ ପାଢ଼ୀ, ଶ୍ରୀ ପବିତ୍ର କୁମାରଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ସାମ୍ବାଦିକ ସଦସ୍ୟ ଯୋଗଦାନ କରି ଜାତୀୟ ପ୍ରେସ୍ ଦିବସକୁ ସଫଳତାର ସହ ପାଳନ କରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଥିବା ଆହ୍ୱାନ ଏବଂ ଏହାର ସମାଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.