
ଭୁବନେଶ୍ବର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର । ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର । ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ । ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି । ଯେତେ ଆବଶ୍ୟକ ପଡ଼ିବ ଦିଆଯିବ ।
କିନ୍ତୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । ଏବେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ବିକଶିତ ଭୁବନେଶ୍ୱର ପାଇଁ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାର ଆବଶ୍ୟକତା ରହିଛି । ତେଣୁ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରାଯାଉଛି ।
ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ କରାଯାଇଛି । ଏବେ ଉଚ୍ଛେଦ କରାଯାଉଥିବା ଲୋକଙ୍କୁ ବୁଦ୍ଧ ବିହାରରେ ଥିବା ଫ୍ଲାଟ ରଖାଯାଇଛି । ଅନ୍ୟ କିଛି ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଓ ମଣ୍ଡପରେ ରଖାଯାଇଛି । ସେମାନଙ୍କୁ ତିନି ବେଳା ଖାଇବାକୁ ଦିଆଯାଉଛି । ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସ୍ଥାନୀୟ ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ।