
ନୂଆଦିଲ୍ଲୀ: ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି ।
ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଡାକ୍ତରଙ୍କ ପାଇଁ “ନିରାପଦ ଆଶ୍ରୟସ୍ଥଳ” ଭାବରେ କାର୍ଯ୍ୟ କରିଥିବା ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋରତା ଜାରି କରିଛି । ବୁଧବାର ଇଡି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୱାଦଙ୍କୁ ସାକେତ ଅଦାଲତରେ ହାଜର କରିଥିଲା । ଅଭିଯୋଗ ଶୁଣିବା ପରେ ଅଦାଲତ ଜୱାଦଙ୍କୁ ୧୩ ଦିନିଆ ରିମାଣ୍ଡରେ ଇଡିକୁ ପଠାଇଛି । ଇଡି ଅନୁଯାୟୀ, ସିଦ୍ଦିକୀଙ୍କ ପରିବାର ଉପସାଗରୀୟ ଦେଶରେ ବସବାସ କରୁଛନ୍ତି ଏବଂ ସେ ମଧ୍ୟ ବିଦେଶ ପଳାଇବାକୁ ପ୍ରସ୍ତୁତ ହେଉଥିଲେ । ଯଦି ତାଙ୍କୁ ଗିରଫ କରାଯାଇ ନ ଥାଆନ୍ତା, ତେବେ ସେ ତଦନ୍ତରୁ ରକ୍ଷା ପାଇପାରିଥାନ୍ତେ ଏବଂ ବିଦେଶ ପଳାଇ ପ୍ରମାଣ ନଷ୍ଟ କରିପାରିଥାନ୍ତେ । ଇଡି ଅଦାଲତକୁ କହିଛି ଯେ ୧୯୯୦ଦଶକରୁ, ଅଲ-ଫଲାହ ଗ୍ରୁପ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ପାଲଟିଛି । ତଥାପି ଗୋଷ୍ଠୀର ଆର୍ଥିକ ସ୍ଥିତି ଏବଂ ଏହାର ସମ୍ପତ୍ତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ଅନ୍ୟପକ୍ଷରେ ମହୁରେ ଜୱାଦର ଘରକୁ ବେଆଇନ ଘୋଷଣା କରାଯାଇଛି । ତିନି ଦିନର ଅଲ୍ଟିମେଟମ୍ ଦିଆଯାଇଛି। ଏହା ପରେ, କ୍ୟାଣ୍ଟ ବୋର୍ଡ ଏହାକୁ ହଟାଇବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନ୍ୟପକ୍ଷରେ, ଆଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କିମ୍ବା ପଢ଼ୁଥିବା ୧୦ଜଣ ନିଖୋଜ ଅଛନ୍ତି। ସେମାନଙ୍କ ସହିତ ଯୋଗାଯୋଗ କରାଯାଇ ପାରୁନାହିଁ । ସେମାନଙ୍କ ମଧ୍ୟରୁ ତିନି ଜଣ କାଶ୍ମୀରୀ । ସେମାନଙ୍କ ଫୋନ୍ ବନ୍ଦ ଅଛି । ଜମ୍ମୁ-କାଶ୍ମୀର ଏବଂ ହରିୟାଣା ପୋଲିସ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ।