ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା ପହଞ୍ଚିଲା ଜାତୀୟ ମାନବାଧିକାର କମିଶନରେ : ୫୦ ଲକ୍ଷ କ୍ଷତିପୂରଣ ସହ ତୁରନ୍ତ ଗିରଫ ଦାବି

ଭୁବନେଶ୍ୱର, ୨୨/୧୧: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଘନୀଭୂତ ହେବାରେ ଲାଗିଛି। ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ନେଇ ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ, ଏବେ ଏହି ମାମଲା ଯାଇ ନୂଆଦିଲ୍ଲୀ ସ୍ଥିତ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ନିକଟରେ ପହଞ୍ଚିଛି।
ଆଜି ରାଜ୍ୟର ପ୍ରତିଷ୍ଠିତ ସାମାଜିକ ସଂଗଠନ “ଉତ୍କଳୀୟମ୍ ଫାଉଣ୍ଡେସନ” ପକ୍ଷରୁ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି, ଯାହାର ଡାଏରୀ ନମ୍ବର ରହିଛି ୨୭୦୨୨/ଆଇଏନ/୨୦୨୫ (27022/IN/2025)। ସଂଗଠନର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ଏହି ଗୁରୁତ୍ୱପୂର୍ଣ୍ଣ ପିଟିସନ ଦାୟର କରିଛନ୍ତି।
ପିଟିସନରେ ଉଲ୍ଲେଖ କରାଯାଇଛି ଯେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ପୂର୍ବରୁ ହ୍ୟୁମାନଙ୍କ ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯିବା ସହ ଜାଣିଶୁଣି ହତ୍ୟା କରାଯାଇଛି। ଏହାବ୍ୟତୀତ ହତ୍ୟା ଅଭିଯୋଗ ଆଣିଥିବାରୁ ତାଙ୍କ ବୃଦ୍ଧା ମା’ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଆକ୍ରମଣ କରାଯାଇଥିବା ଘଟଣାକୁ ମଧ୍ୟ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଉତ୍କଳୀୟମ୍ ଫାଉଣ୍ଡେସନ ପକ୍ଷରୁ ଏହି ମାମଲାର ଉପଯୁକ୍ତ ବିଚାର କରାଯାଇ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏଥିସହ ସ୍ୱର୍ଗତଃ ହ୍ୟୁମାନ ସାଗରଙ୍କ କଷ୍ଟ ଅର୍ଜିତ ଅର୍ଥ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ଏବଂ କ୍ଷତିପୂରଣ ବାବଦକୁ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।