
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସ୍ପଷ୍ଟ ଚିହ୍ନଟ ହୋଇଛି । ଏହା ଆଣ୍ଡାମାନ ସାଗରର ଦକ୍ଷିଣ ଦିଗରେ ରହିଛି । ନଭେମ୍ବର ୨୪ ସଂଧ୍ୟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରେ ୨୫ ତାରିଖରେ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର ରହିବ । ଅବପାତର ରୂପ ନେବା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।
ଅବପାତ ହେଲେ ଏହାର ପ୍ରଭାବ ପ୍ରଥମେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପରେ ଓଡ଼ିଶା ଉପରେ ରହିବ । ମାତ୍ର ବର୍ତ୍ତମାନ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ନଥିବାରୁ ଆଗାମୀ ୫ ରୁ ୭ ଦିନ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨୪ ତାରିଖ ସଂଧ୍ୟା ପରେ ଏହା କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ।