ଭାବ, ଭକ୍ତି ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ : ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ଆଲୋଚନାଚକ୍ର

youtube

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଦାରୁ ଦିଅଁ ନୁହନ୍ତି, ସେ ହେଉଛନ୍ତି ଭାବ, ଭକ୍ତି ଏବଂ ସମର୍ପଣର ଠାକୁର। ଭକ୍ତର ଭାବରେ ବନ୍ଧା ସେ କାଳିଆ ସାଆନ୍ତ। ଏହି ମର୍ମରେ ଭୁବନେଶ୍ୱରସ୍ଥିତ ଓଡିଶା ଲେଖକ ସମବାୟ ସମିତି ପରିସରରେ ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ ପକ୍ଷରୁ ଏକ ଭକ୍ତିଭରା ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଗଣେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଂ ଅମ୍ବର କୁମାର ରାଉତ “ଭାବ ଭକ୍ତି ସମର୍ପଣ ର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ” ଶୀର୍ଷକ ଉପରେ ଏକ ସାରଗର୍ଭକ ଆଲୋଚନା କରିଥିଲେ। ସେ ବିଭିନ୍ନ ପୌରାଣିକ ତଥା ବାସ୍ତବ ଉଦାହରଣ ମାଧ୍ୟମରେ ମହାପ୍ରଭୁଙ୍କ ମହିମା ବର୍ଣ୍ଣନା କରିବା ସହ ଜଣେ ସାଧାରଣ ମଣିଷ କିପରି ସମର୍ପଣ ଭାବ ନେଇ ଈଶ୍ୱରଙ୍କ ନିକଟତର ହୋଇପାରିବ, ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।

ଏହି ଆଲୋଚନା ଚକ୍ରରେ ଅନ୍ୟତମ ବକ୍ତା ଓ ଆଲୋଚକ ଭାବେ ଇଂ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ପ୍ରହଲ୍ଲାଦ ସାହୁ, ଶ୍ରୀ ପ୍ରଜା ରଞ୍ଜନ ସାମନ୍ତରାୟ ଏବଂ ଶ୍ରୀ ଚୈତନ୍ୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ମତପୋଷଣ କରିଥିଲେ ଯେ, ଭକ୍ତ ଓ ଭଗବାନ ପରସ୍ପର ପରିପୂରକ। ଭକ୍ତ ବିନା ଭଗବାନଙ୍କ ସତ୍ତା ଯେପରି ଅସମ୍ପୂର୍ଣ୍ଣ, ଭଗବାନଙ୍କ କରୁଣା ବିନା ଭକ୍ତର ଜୀବନ ସେହିପରି ନିରର୍ଥକ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ସମ୍ପାଦକ ଶ୍ରୀ ରମାକାନ୍ତ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ ସ୍ୱର୍ଗତ ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡାକ୍ତର ମିଶ୍ର ଏକାଧାରରେ ଜଣେ ସୁସାହିତ୍ୟିକ, ସୁବକ୍ତା, ସମାଜସେବୀ, ପରୋପକାରୀ ତଥା ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱ ଥିଲେ ବୋଲି ଶ୍ରୀ ମିଶ୍ର ସ୍ମୃତିଚାରଣ କରିଥିଲେ।

ସଭାକୁ ଅଧିକ ଭାବମୟ କରିବା ପାଇଁ ଶ୍ରୀ ସମିତ କୁମାର ରାଉତ ସୁମଧୁର କଣ୍ଠରେ ଭଜନ ଗାନ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରିଶେଷରେ ଶ୍ରୀ କୈଳାସ ଚନ୍ଦ୍ର ରଥ ନିଜର ବକ୍ତବ୍ୟ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତି ପାଠ ସହ ସଭା ସାଙ୍ଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.