ପିସି ଓ ପିଏନ୍ଡିଟି ଆଇନ କଡାକଡି ଅନୁପାଳନ ନେଇ ଜିଲ୍ଲାସ୍ତରୀୟ ବୈଠକ : ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍ ଅନ୍ଲାଇନ୍ରେ ଦାଖଲ କରିବାକୁ ନିର୍ଦ୍ଦେଶ
ବେଆଇନ ଲିଙ୍ଗ ନିର୍ଣ୍ଣୟ ସମ୍ପର୍କରେ ପ୍ରମାଣିକ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ
ଛତ୍ରପୁର, ୨୯/୦୯: ଗଞ୍ଜାମ ଜିଲ୍ଲାରେ ପିସି ଓ ପିଏନ୍ଡିଟି ଆଇନ, ୧୯୯୪ର କଡ଼ାକଡ଼ି ପ୍ରୟୋଗ, ଲିଙ୍ଗ ଅନୁପାତରେ ସୁଧାର ଏବଂ ବେଆଇନ ଲିଙ୍ଗ ନିର୍ଣ୍ଣୟ ଓ ଗର୍ଭପାତ ରୋକିବା ନେଇ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟିର ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ସମସ୍ତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରର ନିରୀକ୍ଷଣ ବଢ଼ାଇବା ଏବଂ ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍ ଅନ୍ଲାଇନ୍ରେ ଦାଖଲ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୦୨୬ର ଫର୍ମ-ଏଫ୍ ଦାଖଲ ନକରିଥିବା କେନ୍ଦ୍ରଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ। ଆବଶ୍ୟକ ହେଲେ ପଞ୍ଜୀକରଣ ସ୍ଥଗିତ କିମ୍ବା ବାତିଲ କରାଯିବ।
ସନ୍ଦେହଜନକ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ ଅଚାନକ ଯାଞ୍ଚ ଓ ଚଢ଼ଉ କରାଯିବ। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ୱଷ୍ଟ କରିଛନ୍ତି।
ପ୍ରଥମ ସନ୍ତାନ କନ୍ୟା ହେଲେ ଦ୍ୱିତୀୟ ଗର୍ଭଧାରଣର ସ୍ୱତନ୍ତ୍ର ଟ୍ରାକିଂ, ପ୍ରଥମ ତ୍ରୈମାସିକରେ ଗର୍ଭଧାରଣ ପଞ୍ଜୀକରଣ ଏବଂ ପିଏମଏସଏମଏ ପୋର୍ଟାଲ ମାଧ୍ୟମରେ ନିୟମିତ ଅନୁସରଣକୁ ଗୁରୁତ୍ୱ ଦିଆଯାଇଛି। ‘ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଓ ମାଆମାନଙ୍କୁ ସମ୍ମାନିତ କରାଯିବ।
ବେଆଇନ ଲିଙ୍ଗ ନିର୍ଣ୍ଣୟ ସମ୍ପର୍କରେ ପ୍ରମାଣିକ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ ଗୋପନୀୟ ରଖାଯିବ।
ବୈଠକରେ ୧ଟି ଘରୋଇ ଅଲ୍ଟ୍ରାସାଉଣ୍ଡ ୟୁନିଟ୍ର ନୂତନ ପଞ୍ଜୀକରଣ, ୧ଟି ଘରୋଇ ୟୁନିଟ୍ର ନବୀକରଣ ଏବଂ ୯ଟି ସିଏଚ୍ସି ଓ ଏମ୍କେସିଜି ଏମ୍ସିଏଚ୍ ସମେତ ୧୦ଟି ସରକାରୀ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରର ପଞ୍ଜୀକରଣକୁ ଅନୁମୋଦନ ମିଳିଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ, ସିଡିଏମ୍ଓ ଡା. ପ୍ରଦୀପ କୁମାର ନାୟକ, ଡେପୁଟି କଲେକ୍ଟର (ଜୁଡିସିଆଲ), ଡା. ଏସ୍. କାମେଶ୍ୱର ରାଓ, ଡା. ଅଲେଖ କୁମାର ପ୍ରଧାନ, ବୁଲୁନାଥ ସାହୁ, ପ୍ରଶାନ୍ତ ବରାଳ, ଦିଲ୍ଲୀପ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
