
ବାଙ୍ଗିରିପୋଷି : ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାର ପୋଖରୀରୁ ଉଦ୍ଧାର । କାର ଭିତରୁ ମିଳିଲା ଗଳିତ ମୃତଦେହ। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ କାର ସହ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବିଶୋଇ ଥାନା ଠୁଲୁକୁଚଟାଣି ଗାଁର ଗୁଲେସ ଚନ୍ଦ୍ର ଗୋଛାୟତ ଗତ ସେପ୍ଟେମ୍ବର ୧୧ରୁ ନିଖୋଜ ଥିଲେ । ଝାଡ଼ଖଣ୍ଡ ବୋହୋଡାଗୋଡ଼ା ଯାଉଛି କହି ଘରୁ ବାହାରି ଯାଇଥିଲେ । ପରିବାର ଲୋକ ଯୋଗାଯୋଗ କରିବାରୁ ଗୁଲେସ ଗୋଛାୟତ କହିଥିଲେ ମୁଁ ଖଡଗପୁର ପଳାଇ ଆସିଛି, ରାତିରେ ଫେରିବି ।
ପରବର୍ତ୍ତୀ ସମୟରେ ମୋବାଇଲ ଫୋନ ସୁଇଚ ଅଫ ହୋଇ ଯାଇଥିଲା । ମନରେ ସନ୍ଦେହ ହେବାରୁ ତାଙ୍କ ସ୍ତ୍ରୀ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନ ଥିଲା । ଆଜି ସକାଳେ ଝାରପୋଖରିଆ ଥାନା ଉପରବେଡା ଗାଁ ଲୋକେ ପୋଖରୀ ଭିତରେ ଏକ କାର ପଶିଥିବା ଦେଖି ଝାରପୋଖରିଆ ଥାନା ଓ ସାରସକଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ପୋଖରୀ ଭିତରୁ କାରକୁ ଉଦ୍ଧାର କରିଥିଲେ। ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି।