ପୁରୁଣା ରୂପ ଫେରି ପାଇବ ଚଉଷଠି ଯୋଗିନୀ ପୀଠ, ପୁନରୁଦ୍ଧାର ଲାଗି ୨୦ କୋଟି ମଞ୍ଜୁର

youtube

ପିପିଲି: ଭାରତର ପ୍ରଥମ ଚଉଷଠି ଯୋଗିନୀ ପୀଠ ଭାବରେ ଜଣାଶୁଣା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର । ମନ୍ଦିର ପୁଣି ଥରେ ତାହାର ହଜିଯାଇଥିବା ପୁରୁଣା ରୂପ ଫେରି ପାଇବ । କଳାପାହାଡ଼ ଆକ୍ରଣମରେ ଭାଙ୍ଗି ଯାଇଥିବା ଏହି କାରୁକାର୍ଯ୍ୟରେ ଭରା ଥିବା ଏହି ମନ୍ଦିର ତଥା ପ୍ରାଚୀନ ତନ୍ତ୍ର ପୀଠର ହୃତ ଗୌରବ ପୁଣି ଫେରି ଆସିବ । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରି ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ।

ଇତିହାସର ମୁକ ସାକ୍ଷୀ । ତନ୍ତ୍ର ଆଉ ସାଧନାର ପୀଠ ମହାମାୟା ମନ୍ଦିର ସାରା ଭାରତରେ ବେଶ ଜଣାଶୁଣା । ଏଠାରେ ଖୋଲା ମନ୍ଦିର ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଦେବୀଙ୍କ ମୂର୍ତ୍ତି । ଓଡ଼ିଶାରେ ଭୌମିକ ରାଜବଂଶର ରାଜୁତି ଚାଲିଥିବାବେଳେ ରାଣୀ ହୀରାବେଳ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ବୋଲି ଇତିହାସ କୁହେ । ଏବେ ଏହି ମନ୍ଦିର ଯେତିକି ଅଛି ତାହା କେବଳ ଭଗ୍ନାବିଶେଷ ବୋଲି କୁହାଯାଉଛି ।  କଳାପାହାଡ଼ ଆକ୍ରମଣରେ ଏହି ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହୋଇଯାଇଛି ।  ମନ୍ଦିରର ବିକାଶ ପାଇଁ  ସ୍ଥାନୀୟ ଲୋକେ ଅନେକ ସମୟରେ ସରକାରଙ୍କୁ ଅନୁରୋଧ କରିବା ସହିତ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କୁ କହିଥିଲେ ।

ଅଂଚଳବାସୀଙ୍କ ଅନୁରୋଧକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚଉଷଠି ଯୋଗିନୀ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହା ପରେ ପୀଠର ଭିତ୍ତିଭୂମି ଏବଂ ବିକାଶ କିଭଳି କରାଯିବ ସେ ସମ୍ପର୍କରେ ମନ୍ଦିର ଚର୍ତଃପାର୍ଶ୍ଵ ବୁଲି ଦେଖିବା ସହିତ ଏ ସମ୍ପର୍କିତ ଏକ ନକ୍ସାକୁ ଦେଖିଥିଲେ । ପୀଠ ପରିସରର ୧୦ ମିଟର ଦୂରତା ଓ ଏହାର ଆଖ ପାଖରେ ମା’ଙ୍କ ନାମରେ ରହିଥିବା ସମ୍ପତିକୁ ଜବରଦଖଲ ମୁକ୍ତ କରାଯିବ । ୨୦ କୋଟି ଟଙ୍କା ବ୍ୟୟରେ ଚଉଡ଼ା ବ୍ରିଜ ନିର୍ମାଣ କରାଯିବ ଏବଂ ମୁଖ୍ୟ ଫାଟକରେ ତୋରଣ ଶୋଭାପାଇବ । ୩ ଏକର ପରିମିତ ପୁଷ୍କରୀଣିର ମଧ୍ୟ ବିକାଶ କରାଯିବ । ପର୍ଯ୍ୟଟକମାନଙ୍କ ରହଣୀ ଏବଂ ଖାଦ୍ୟପେୟ ପାଇଁ କାଫେ ନିର୍ମାଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯାଇ ଦୃତ ଗତିରେ ଆଗେଇ ଚାଲିବ ବୋଲି କହିଛନ୍ତି ।

ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଚଉଷଠି ଯୋଗିନୀ ମନ୍ଦିରର ବିକାଶ ହେଲେ ଅଂଚଳର ବିକାଶ ହେବ । ଏହା ସହିତ ପର୍ଯ୍ୟଟନକୁ ଆଗକୁ ନେବ ଏହାର ବିକାଶ ।

Leave A Reply

Your email address will not be published.