
ତାମିଲନାଡୁ : ତାମିଲନାଡୁର ତେନକାସୀ ଜିଲ୍ଲାରେ ବସ୍ ଦୁର୍ଘଟଣା । ଦୁଇଟି ବସ୍ ପରସ୍ପର ସହିତ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ହୋଇଥିଲା ।
ଖବର ମୁତାବକ, ଗୋଟିଏ ଘରୋଇ ବସ୍ ମାଦୁରାଇରୁ ଶେନକୋଟାଇ ଯାଉଥିବା ବେଳେ ଅନ୍ୟଟି ତେନକାସୀରୁ କୋଭିଲପଟ୍ଟି ଯାଉଥିଲା । ବସ୍ ପରସ୍ପର ସହିତ ଧକ୍କା ହେବା ପରେ ବସଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।
ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ତଦନ୍ତ ଅନୁସାରେ, ମାଦୁରାଇରୁ ଶେନକୋଟାଇ ଯାଉଥିବା ବସ୍ ର ଡ୍ରାଇଭରଙ୍କ ଅବହେଳା ଏବଂ ଦ୍ରୁତ ଗତି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ତେବେ ସମସ୍ତ ୨୮ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।