ଧାନକୁ ସରକାରୀ ସୁରକ୍ଷା, ମକା ଚାଷୀ ହତାଶ: ରାଇଘରରେ ଚାଲିଛି ମଧ୍ୟସ୍ଥଙ୍କ ରାଜ୍…

youtube

ମକା ଉତ୍ପାଦନରେ ଜିଲ୍ଲା ଆଗରେ, ବିକ୍ରିବେଳେ ଚାଷୀ ପଛରେ
କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା କ୍ଷତି ସହୁଛନ୍ତି ଚାଷୀ, ଆନ୍ଦୋଳନ ଚେତାବନୀ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ମକା ଉତ୍ପାଦନ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ କ୍ଷେତରେ ଭରପୂର ଫସଲ ଅମଳ ହୋଇଛି। କିନ୍ତୁ କ୍ଷେତରେ ସୁନା ଫଳିଥିଲେ ମଧ୍ୟ ଅନ୍ନଦାତାଙ୍କ ମୁହଁରେ ହସ ନାହିଁ, ବରଂ ରହିଛି କ୍ଷୋଭ ଓ ହତାଶା। କାରଣ, ଧାନ ଚାଷୀଙ୍କ ପାଇଁ ସରକାରୀ ମଣ୍ଡିର ସୁବିଧା ଥିବାବେଳେ ମକା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ରାଇଘରରେ ମଧ୍ୟସ୍ଥ ଓ ବେପାରୀମାନଙ୍କ ରାଜୁତି ଚାଲିଛି।

ଧାନ ଓ ମକା ଭିତରେ ପାତରଅନ୍ତର
ସରକାର ଧାନ ଚାଷୀଙ୍କୁ ପଞ୍ଜୀକରଣ, ଡିଜିଟାଲ ପେମେଣ୍ଟ ଏବଂ ମଣ୍ଡି ସୁବିଧା ଯୋଗାଇ ଦେଇ ସମ୍ମାନିତ କରୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ, ସମାନ ଅଞ୍ଚଳର ମକା ଚାଷୀ ସରକାରୀ ଅବହେଳାର ଶିକାର ହେଉଛନ୍ତି। ମକା ପାଇଁ କୌଣସି ସରକାରୀ ମଣ୍ଡି ନଥିବାରୁ ଚାଷୀମାନେ ନିରୁପାୟ ହୋଇ ଦଲାଲ୍‌ଙ୍କ ହାତରେ ଫସଲ ଟେକି ଦେଉଛନ୍ତି। ମକାର ସରକାରୀ ସହାୟକ ମୂଲ୍ୟ (MSP) କ୍ୱିଣ୍ଟାଲ ପ୍ରତି ୨୩୦୦ ଟଙ୍କା ଥିବାବେଳେ, ମଧ୍ୟସ୍ଥ ବେପାରୀମାନେ ଗାଁ ଗାଁ ବୁଲି ମାତ୍ର ୧୪୦୦ରୁ ୧୫୦୦ ଟଙ୍କାରେ ମକା କିଣୁଛନ୍ତି। ଫଳରେ ପ୍ରତି କ୍ୱିଣ୍ଟାଲରେ ଚାଷୀଙ୍କୁ ପ୍ରାୟ ୭୦୦ରୁ ୮୦୦ ଟଙ୍କାର ବଡ଼ କ୍ଷତି ସହିବାକୁ ପଡ଼ୁଛି।

ଋଣବୋଝ ଓ ଖର୍ଚ୍ଚର ଚାପ
ଅନ୍ୟପଟେ ଚାଷ ଖର୍ଚ୍ଚ ଆକାଶଛୁଆଁ ହୋଇଛି। ୟୁରିଆ ବସ୍ତା ୪୫୦-୬୦୦ ଟଙ୍କା, ଡିଏପି ୧୮୦୦-୨୨୦୦ ଟଙ୍କା ଏବଂ ମକା ବିହନ ପ୍ୟାକେଟ୍ ୧୪୦୦-୨୨୦୦ ଟଙ୍କାରେ କିଣି ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରିଛି। ସାହୁକାର ଓ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ ଋଣ ସୁଝିବା ଚିନ୍ତାରେ ଶାଗମାଛ ଦରରେ ଫସଲ ବିକି ସର୍ବସ୍ୱାନ୍ତ ହେଉଛି।

ନାଫେଡ୍ ଉପରେ ପ୍ରଶ୍ନବାଚୀ
ଏନେଇ ସ୍ଥାନୀୟ କଂଗ୍ରେସ ନେତା ଡା. ସନରାଜ ଗଣ୍ଡ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ନାଫେଡ୍ (NAFED) ପକ୍ଷରୁ ମକା ମଣ୍ଡି ପାଇଁ ପଞ୍ଜୀକରଣ କରାଯାଇଥିଲା, କିନ୍ତୁ ଚାଷୀଙ୍କ ଠାରୁ କିଲୋଟିଏ ବି ମକା କିଣାଗଲା ନାହିଁ। “ମଣ୍ଡି ଘୋଷଣା ହେଲା, ହେଲେ କିଣା କାହିଁକି ହେଲାନି?” ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।

ଦାବି ଓ ଚେତାବନୀ
କେବଳ ରାଇଘର ନୁହେଁ; ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ଅଞ୍ଚଳର ମକା ଚାଷୀମାନେ ଏବେ ଏକଜୁଟ ହୋଇଛନ୍ତି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା:
୧. ଧାନ ପରି ମକା ପାଇଁ ସରକାରୀ ମଣ୍ଡି ଖୋଲାଯାଉ।
୨. ସହାୟକ ମୂଲ୍ୟ (MSP)ରେ ସିଧାସଳଖ ମକା କିଣାଯାଉ।
୩. ସାର ଓ ବିହନ ଦର ଉପରେ ନିୟନ୍ତ୍ରଣ ରହୁ।
୪. ମଧ୍ୟସ୍ଥଙ୍କ ଶୋଷଣ ବନ୍ଦ କରାଯାଉ।

ଯଦି ସରକାର ତୁରନ୍ତ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.