ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ସଚେତନ କରିବ ସୋଲାର ରଥ
ପାରଳାଖେମୁଣ୍ଡି: ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସେବା ସେତୁ ଅଭିଯାନ ଅଧୀନରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଟିପିଏସ୍ଓଡିଏଲ୍ ପକ୍ଷରୁ ସୋଲାର ରଥର ଶୁଭାରମ୍ଭ କରାଯାଇଛି। ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଆଇ.ଏ.ଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଜପତି
ଏବଂ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ ମିଳିତ ଭାବେ ଏହି ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା (ପିଏମ୍ଏସଜିଏମବିୱାଇ) ଅଧୀନରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ସୌର ଶକ୍ତି ଆପଣାଇବା ଦିଗରେ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ସୋଲାର ରଥ ଗଜପତି ଜିଲ୍ଲାର ସମସ୍ତ ସାତଟି ବ୍ଲକ୍—ପାରଳାଖେମୁଣ୍ଡି, କାଶୀନଗର, ଗୁମ୍ମା, ମୋହନା, ନୂଆଗଡ଼, ଆର୍. ଉଦୟଗିରି ଏବଂ ରାୟଗଡ଼—ପରିକ୍ରମା କରି ସିଧାସଳଖ ଭାବେ ଜନସାଧାରଣଙ୍କ ନିକଟରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କିତ ସୂଚନା ପ୍ରଦାନ କରିବ । ଏହି ସଚେତନତା ଅଭିଯାନ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ଲାଭ, ଉପଲବ୍ଧ ଆର୍ଥିକ ସହାୟତା ତଥା ସରକାରୀ ସବସିଡି, ସ୍ଥାପନ ପ୍ରକ୍ରିୟା ଏବଂ ସୌରଶକ୍ତି ମାଧ୍ୟମରେ ବିଜୁଳି ବିଲ୍ କମାଇବା ସହିତ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନରେ ଏହା ବିଶେଷ ଭାବରେ ସହାୟକ ହେବ ।
ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସୋଲାର ରଥ ମାଧ୍ୟମରେ ଗଜପତିର ବିଭିନ୍ନ ଅଞ୍ଚଳର ଉପଭୋକ୍ତା ଓ ସମୁଦାୟଙ୍କ ନିକଟରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ବାର୍ତ୍ତା ପହଞ୍ଚାଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସମ୍ପର୍କିତ ସୂଚନାକୁ ସରଳ ଭାବେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା, ସେମାନଙ୍କ ପ୍ରଶ୍ନର ସମାଧାନ କରିବା ଏବଂ ଅଧିକରୁ ଅଧିକ ପରିବାରକୁ ସୌରଶକ୍ତିର ଲାଭ ବିଷୟରେ ଜାଣିବାକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ। ସ୍ୱଚ୍ଛ ଶକ୍ତିକୁ ଅଧିକ ସୁଗମ କରିବା ସହିତ ଓଡ଼ିଶାର ଅକ୍ଷୟ ଶକ୍ତି ଯାତ୍ରାରେ ଉପଭୋକ୍ତାମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ଆମର ଉଦ୍ଦେଶ୍ୟ।”
ସୋଲାର ରଥ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା, ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ, ଉପଲବ୍ଧ ଆର୍ଥିକ ସହାୟତା ଏବଂ ଉପଭୋକ୍ତାଙ୍କ ପାଇଁ ରହିଥିବା ସୁବିଧା ସମ୍ପର୍କରେ ସୂଚନା ଦିଆଯାଉଛି। ଏହା ସହିତ ଉପଭୋକ୍ତାମାନଙ୍କ ସହ ସିଧାସଳଖ ଆଲୋଚନାର ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି, ଯାହା ମାଧ୍ୟମରେ ସେମାନେ ଯୋଜନା, ସ୍ଥାପନ ପ୍ରକ୍ରିୟା ଏବଂ ଆବଶ୍ୟକୀୟ ନିୟମାବଳୀ ସମ୍ପର୍କରେ ସ୍ପଷ୍ଟ ଭାବେ ବୁଝିପାରୁଛନ୍ତି।
ଟିପିଏସ୍ଓଡିଏଲ୍ ନିରନ୍ତର ଭାବେ ସ୍ଥାୟୀ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ କରିବା ସହିତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ରୂପାନ୍ତରଣକୁ ସମର୍ଥନ କରୁଛି। ସୋଲାର ରଥ ଭଳି ଉପଭୋକ୍ତାକୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ନବୀକରଣଯୋଗ୍ୟ ଶକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସ୍ୱଚ୍ଛ ଶକ୍ତିର ରୂପାନ୍ତରଣ ଯାତ୍ରାରେ ସମୁଦାୟଗୁଡ଼ିକୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ସଶକ୍ତ କରୁଛି।
ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ଏବଂ ଗଜପତି ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
