
ଭୁବନେଶ୍ୱର : ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ମିଳିତ ଆନୁକୂଲ୍ୟରେ ଆଜି ‘ବାଲ୍ୟ ବିବାହ ମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ରବି ଟକିଜ୍ ଛକର ଲତିକା କନଭେନସନ୍ରେ ଆୟୋଜିତ ଏହି ମହା ସମାରୋହରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦୦ ମହିଳା ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ ନେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇ.ଜି. ଏସ. ସାଇନ୍ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଭାରତରେ ୨୩ ଭାଗ ଶିଶୁ ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରୁଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୨୦ ଭାଗରୁ ଅଧିକ ରହିଛି। ବିଶେଷକରି ନବରଙ୍ଗପୁର ଜିଲ୍ଲାରେ ଏହି ହାର ସର୍ବାଧିକ ୩୯ ଭାଗ ଥିବା ବେଳେ ନୟାଗଡ଼ରେ ୩୬ ଭାଗ ରହିଛି। ବାଲ୍ୟ ବିବାହ ରୋକିବା ପାଇଁ କେବଳ ଆଇନ୍ ଯଥେଷ୍ଟ ନୁହେଁ, ବରଂ ଗୋଷ୍ଠୀ ସଚେତନତା, ଶିକ୍ଷାର ପ୍ରସାର ଏବଂ ଝିଅମାନଙ୍କୁ ପ୍ରୋତ୍ସାହନ ଦେବା ଏକାନ୍ତ ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ରାଜ୍ୟ ପରିଚାଳକ ପ୍ରିତିକାନ୍ତ ପଣ୍ଡା କହିଥିଲେ, “ବାଲ୍ୟ ବିବାହର ଅର୍ଥ ପିଲାମାନଙ୍କ ସହିତ ଦୁଷ୍କର୍ମ। ପରମ୍ପରା ନାମରେ ଆମେ ପିଲାଙ୍କ ଉପରେ ସଂସାରର ବୋଝ ଲଦି ଦେଉଛୁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”
ଏହି ଅବସରରେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି ସଂଗଠନର କାର୍ଯ୍ୟାବଳୀ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ। ‘ଜଷ୍ଟ୍ ରାଇଟସ୍ ଫର୍ ଚିଲଡ୍ରେନ୍ ଆଲାଏନ୍ସ’ର ସଦସ୍ୟ ଭାବେ ରୁଚିକା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରଶାସନ ଓ ପୋଲିସ ସହ ମିଶି ଗତ ୨ ବର୍ଷ ମଧ୍ୟରେ ୬୭୦୦ ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇଛି। ଏହା ସହ ୬୧ଟି କେସ୍ ଫାଇଲ୍ କରାଯାଇଛି ଏବଂ ୧୨ ଲକ୍ଷ ଲୋକ ବାଲ୍ୟ ବିବାହ ବିରୋଧରେ ଶପଥ ନେଇଛନ୍ତି। ଏତଦ୍ ବ୍ୟତୀତ ୫୨୩ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ୪୭୭ଟି ମାମଲା ରୁଜୁ ହୋଇଛି ଏବଂ ୨୦୯ ଜଣ ଶିଶୁ ଯୌନ ନିର୍ଯାତନା ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରାଯାଇଛି।
ନିଜର ବାଲ୍ୟ ବିବାହକୁ ସାହସର ସହ ବିରୋଧ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ୧୪ ଜଣ ଝିଅ ଏବଂ ଆଗଧାଡ଼ିର ସରକାରୀ କର୍ମଚାରୀଙ୍କୁ ‘ସାଇନିଙ୍ଗ ଲିଡରସିପ୍ ଆୱାଡ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟମାନେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
ପ୍ରଫେସର ସବିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରୁଚିକାର ସମ୍ପାଦକ ଉମାଶଙ୍କର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୌରାଙ୍ଗ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ରାମେଶ୍ୱରୀ ପ୍ରସାଦ ଦ୍ୱିବେଦୀ, ହେମନ୍ତ କୁମାର ସାହୁ, ଶିବାନୀ ନାୟକ ଓ ହେମନ୍ତ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।