ଆସିକା ସମବାୟ ଚିନି ଶିଳ୍ପରେ ଅନିୟମିତତା ଅଭିଯୋଗ !

add-all

ଆସିକା ଚିନି ଶିଳ୍ପରେ ମହାଦୁର୍ନୀତି: ଧାର୍ଯ୍ୟ ଦରଠାରୁ ୨୦% ଅଧିକ ଦରରେ ମଦ ପରିବହନ ଟେଣ୍ଡର, କାହା ସ୍ୱାର୍ଥରେ?

  • କଳା ତାଲିକାଭୁକ୍ତ ଠିକାଦାରଙ୍କୁ ପୁଣି ସୁଯୋଗ, କମିଶନ ବିନା ଘୁଞ୍ଚୁନି ଫାଇଲ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକମାତ୍ର ସମବାୟ ଭିତ୍ତିକ ଅନୁଷ୍ଠାନ ‘ଆସିକା ଚିନି ଶିଳ୍ପ’ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। କାରଖାନା ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ବିଶେଷକରି ମଦ ପରିବହନ ପାଇଁ ଧାର୍ଯ୍ୟ ଦରଠାରୁ ୨୦ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତାବକ, ଏହି କାରଖାନାରୁ ପ୍ରତିଦିନ ଟ୍ରକ୍ ଯୋଗେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଦ ପରିବହନ କରାଯାଇଥାଏ। ତେବେ କର୍ତ୍ତୃପକ୍ଷ କାହା ଇଙ୍ଗିତରେ ଏବଂ କେଉଁ ଉଦ୍ଦେଶ୍ୟ ରଖି ଗଞ୍ଜାମ ଟ୍ରକ ମାଲିକ ସଂଘ (ଆସିକା)କୁ ସରକାରୀ ସିଡ୍ୟୁଲ୍ ଦରଠାରୁ ୨୦ ପ୍ରତିଶତ ଅଧିକ ଦରରେ ପରିବହନ ଦାୟିତ୍ୱ ଦେଇଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଖାନାକୁ କ୍ଷତିରେ ପକାଇ ଏଭଳି ନିଷ୍ପତ୍ତି ନେବା ପଛରେ କିଛି ବଡ଼ ଧରଣର ଆର୍ଥିକ କାରବାର ଥିବା ସନ୍ଦେହ କରାଯାଉଛି।

କେବଳ ପରିବହନ ନୁହେଁ, ଶିଳ୍ପର ପ୍ରତିଟି କ୍ଷେତ୍ରରେ ଦୁର୍ନୀତି କାୟା ବିସ୍ତାର କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ‘କମିଶନ’ ନ ମିଳିଲେ ଫାଇଲ୍ ଉପରକୁ ଉଠୁନାହିଁ। ରାଜନୈତିକ ନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ‘ସନ୍ତୁଷ୍ଟ’ ରଖିବା ପାଇଁ ବାବୁମାନେ କାରଖାନାର ସ୍ୱାର୍ଥକୁ ବଳି ପକାଇ ଦେଉଛନ୍ତି।

ଅନ୍ୟପକ୍ଷରେ, ମଦ ବୋଟଲିଂ ପ୍ଲାଣ୍ଟ ଟେଣ୍ଡରରେ ମଧ୍ୟ ସାଙ୍ଘାତିକ ଅନିୟମିତତା ଦେଖିବାକୁ ମିଳିଛି। ପୂର୍ବରୁ କଳା ତାଲିକାଭୁକ୍ତ (ବ୍ଲାକ୍ ଲିଷ୍ଟେଡ୍) ହୋଇଥିବା ଠିକାଦାରଙ୍କ ସମ୍ପର୍କୀୟମାନଙ୍କୁ ପୁଣିଥରେ ଟେଣ୍ଡର ମାଧ୍ୟମରେ ସୁଯୋଗ ଦିଆଯାଇଥିବା ଅଭିଯୋଗ ହୋଇଛି। ଖୋଦ୍ ପରିଚାଳନା ନିର୍ଦ୍ଦେଶକଙ୍କ ଜାଣତରେ ଏସବୁ ଦୁର୍ନୀତି ଚାଲିଥିବା ବେଳେ, ପ୍ରଶାସନିକ ସ୍ତରରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଛି।

ad-week
Leave A Reply

Your email address will not be published.