ରାଇଘର କୋଦୁଭାଟା କାଳୀମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ରାଜନୀତିକ ବିବାଦ, କମିଟିର ଅନୁପସ୍ଥିତି ନେଇ ଅସନ୍ତୋଷ

youtube

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦର କୋଦୁଭାଟା ସର୍ବଜନୀନ ଶ୍ରୀଶ୍ରୀ ଶ୍ୟାମା ମା କାଳୀମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକୁ ନେଇ ପୁନର୍ବାର ରାଜନୀତିକ ବିବାଦ ଦୃଶ୍ୟପଟରେ ଆସିଛି। ବିଗତ ସରକାର ଶାସନକାଳରେ ‘ସ୍ୱତନ୍ତ୍ର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ଅନ୍ତର୍ଗତ ମନ୍ଦିରର ଭକ୍ତ ନିବାସ ଓ ଉନ୍ନତିକରଣ ପାଇଁ ମଞ୍ଜୁର ହୋଇଥିବା ୧୦ ଲକ୍ଷ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ୦୪ ମାର୍ଚ୍ଚ ୨୦୨୪ ତାରିଖରେ ପୂଜା ପାଠ ସହ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ହେତୁ ଅନେକ ଅନୁଦାନ ପ୍ରକଳ୍ପ ସ୍ଥଗିତ ହୋଇ ଫଣ୍ଡ ଫେରି ଯାଇଥିବା ବେଳେ, ଜଣେ ସ୍ଥାନୀୟ ସମାଜ ସେବୀଙ୍କ ଚେଷ୍ଟାରେ ଏହି ଅନୁଦାନ ବାତିଲ ନହୋଇ ରହିପାରିଥିଲା। ତେବେ, ନଭେମ୍ବର ୨୪, ୨୦୨୫ ତାରିଖରେ ମନ୍ଦିର ସ୍ଥାୟୀ କମିଟି ଦ୍ୱାରା ଏକ ଔପଚାରିକ ବିଜ୍ଞପ୍ତି ଜାରି ହୋଇ ନଭେମ୍ବର ୨୫ ତାରିଖ ଅପରାହ୍ନ ୩ଟାରେ ବ୍ଲକ ଯୋଜନା ବିଭାଗର ଇଞ୍ଜିନିଅର (JE)ଙ୍କ ଉପସ୍ଥିତିରେ ଭକ୍ତନିବାସର ଶୁଭ ଆରମ୍ଭ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ବିଜ୍ଞପ୍ତି ଦେଖି ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ମାତୃମଣ୍ଡଳ, ସମାଜ ସେବୀ ଓ ବ୍ୟାପକ ଭକ୍ତବୃନ୍ଦ ଉପସ୍ଥିତ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ, ମନ୍ଦିର ସଭାପତି, ସମ୍ପାଦକ ଓ ପ୍ରଧାନ କମିଟି ସଦସ୍ୟମାନେ କେହି ବି ଉପସ୍ଥିତ ହୋଇନଥିଲେ। ତାଙ୍କ ଅନୁପସ୍ଥିତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି | ଏହି ଅବସ୍ଥା ଯୋଗୁଁ ମନ୍ଦିର କାର୍ଯ୍ୟରେ ରାଜନୀତିକ ବାଧା କିମ୍ବା କୌଣସି ଆଭ୍ୟନ୍ତରୀଣ ସଂଘର୍ଷ ଚାଲିଛି କି ବୋଲି ସାମାଜିକ ମଞ୍ଚରେ ଚର୍ଚ୍ଚା ହେଉଛି |

କମିଟିର ମୁଖ୍ୟମାନେ ଅନୁପସ୍ଥିତ ଥିଲେ ମଧ୍ୟ, ସ୍ଥଳରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ଉଦ୍ୟମରେ କାର୍ଯ୍ୟ ଆଗେଇଥିଲା। ଏମ. ପି. ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ମନ୍ତ୍ରୀ ପ୍ରତିନିଧି ଶିବନାଥ ବାନାର୍ଜି, ସମାଜ ସେବୀ ସନ୍ତୋଷ ମହାପାତ୍ର (ସନ୍ତୁ), ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ସୁଦର୍ଶନ ମାଝୀ, ବରିଷ୍ଟ ଆଡ଼ଭୋକେଟ କମଳ ବାଛାଡ଼, ଏକ୍ସ ଭାଇଛ ପ୍ରେସିଡେଣ୍ଟ ବିଶୁ ଶିଳ, ସହ ଅନ୍ୟମାନଙ୍କ ମଧ୍ୟରେ ବାବୁ ଭାଇ, ଟୁକୁନି ସାମନ୍ତରାୟ, ମନୋହର ଦଣ୍ଡସେନା, ଦଶରଥ ସାହା, ଦୀପକ ବାଡ଼ଇ, ପୂର୍ଣ୍ଣ ବିଶ୍ୱାସ, ସୁକୁମାର ହାଲଦାର, ରଂଜିତ ସାହା, ସୁବ୍ରତ ବିଶ୍ୱାସ, ନକୁଳ ବିଶ୍ୱାସ, କୃଷ୍ଣ ମଣ୍ଡଳ, ନିତାଇ ମଣ୍ଡଳ, ରାକେଶ ସରକାର, ପ୍ରଲୋୟ ବିଶ୍ୱାସ (ଖୋକଣ) ଆଦି ବ୍ୟକ୍ତିବୃନ୍ଦଙ୍କ ଉପସ୍ଥିତିରେ ପୂଜା-ଅର୍ଚ୍ଚନା ପରେ ନଡ଼ିଆ ଭାଙ୍ଗି ଆନୁଷ୍ଠାନିକ ଭାବରେ ଭିତ୍ତିପତ୍ଥର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ପ୍ରତିନିଧିମାନେ ସୂଚନା ଦେଇଛନ୍ତି ଯେ ଭବିଷ୍ୟତରେ ଭକ୍ତନିବାସକୁ ତିନି କୋଠା ବିଶିଷ୍ଟ ସୁନ୍ଦର ଗୃହ ରୂପ ପ୍ରଦାନ କରାଯିବ। ଏହା ସହିତ ସେମାନେ ଆହୁରି ଚେତାବନୀ ଦେଇ କହିଛନ୍ତି ଯେ ମନ୍ଦିରର କାମରେ ଭେଦଭାବ, ଦଳିୟ ଖେଳ, ବ୍ୟକ୍ତିଗତ ମତାମତ ଓ ବିରୋଧ ସୃଷ୍ଟି କରିବାକୁ କୌଣସି ଭାବରେ ସ୍ଥାନ ଦିଆଯିବ ନାହିଁ। ପର୍ବଟିର ସଂଚାଳନା ଭୀମ ପାଳ କରିଥିବା ବେଳେ ସୁକୁମାର ହାଲଦାର ଅନ୍ତିମ ଧନ୍ୟବାଦ ଜଣାଇ ସମାପନ କରିଥିଲେ।

Leave A Reply

Your email address will not be published.