
ପାଟନା: ବିହାରରେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନେଇଛନ୍ତି ବଡ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ମାଧ୍ୟମରେ ପାଖାପାଖି ୧୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ୧୦ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏପର୍ଯ୍ୟନ୍ତ ୧ କୋଟି ୪୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି।
ବିହାର ବିଧାନସଭା ନିର୍ବାଚନ ପରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ଆହୁରି ଅଧିକ ବ୍ୟାପକ କରିଛନ୍ତି। ଆଜି ସକାଳ ୧୧:୩୦ରେ ତାଙ୍କ ବାସଭବନସ୍ଥିତ ସଂକଳ୍ପ ଅଡିଟୋରିୟମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିବିଟି(Direct Benefit Transfer) ମାଧ୍ୟମରେ ଏହି ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ୧୦୦୦ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଉପସ୍ଥିତ ରହିଥିଲେ। ଆଗରୁ ୬ଟି କିସ୍ତି ମିଳିଥିବା ବେଳେ ବିହାର ନିର୍ବାଚନ ପରେ ମହିଳାଙ୍କୁ ପ୍ରଥମ କିସ୍ତି ମିଳିଛି। ଡିସେମ୍ବର ୧୪ସୁଦ୍ଧା ସବୁ କିସ୍ତି ମିଳିଯିବ ବୋଲି ନୀତୀଶ କୁମାର କହିଛନ୍ତି । ଏହି କିସ୍ତି ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ନିର୍ବାଚନ ପର୍ଯ୍ୟନ୍ତ ନୁହେଁ, ଆମ ସରକାର ନିର୍ବାଚନ ପରେ ମଧ୍ୟ ଦେଇଥିବା କଥାକୁ କାର୍ଯ୍ୟକାରୀ କରିଥାଏ। ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ୧ କୋଟି ୪୦ ଲକ୍ଷ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏହି ଅର୍ଥ ରାଶି ମାଧ୍ୟମରେ ମହିଳାମାନେ ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, କୃଷିଭିତ୍ତିକ କାମ, ସିଲେଇ ଏବଂ ଛୋଟ ବ୍ୟବସାୟ ମାଧ୍ୟମରେ ଭଲ ରୋଜଗାର କରିବା ଆରମ୍ଭ କରିଛନ୍ତି।