
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ୍ ସିଂହ ପରମାର । ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୁଲିସ ।
ଛାତ୍ରଙ୍କ ମର ଶରୀରକୁ କିମ୍ସ ହସ୍ପିଟାଲରେ ରଖାଯାଇଛି । ପରିବାର ଲୋକେ ଆସିବା ପରେ ହିଁ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ଅଗଷ୍ଟ ମାସରେ କିଟ୍ ରେ ନାମ ଲେଖାଇ ପାଠ ପଢିବାକୁ ଆସିଥିଲେ । ମାତ୍ର ୪ମାସ ପାଠ ପଢିବା ବେଳେ କାହିଁକି ପ୍ରାଣ ହରାଇଲେ ଛାତ୍ର ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗତକାଲି ରାତିରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଯାଏଁ କିଟ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।
ଗତ ଫେବୃଆରୀ ୧୬ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମେ ୧ତାରିଖରେ ମଧ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହଷ୍ଟେଲରେ ଉଭୟ ଛାତ୍ରୀଙ୍କ ମୃତଦେହ ମିଳିଥିଲା ।