ସ୍ତ୍ରୀର ଜାଲ ଦସ୍ତଖତ କରି ୪୦ ଲକ୍ଷ ଟଙ୍କାର ଋଣ ଉଠାଇଲେ ସ୍ୱାମୀ: କେନ୍ଦୁଝରରୁ ଗିରଫ କଲା ଖାରବେଳ ନଗର ପୁଲିସ

add-all

ଭୁବନେଶ୍ୱର: ସ୍ତ୍ରୀର ବିଶ୍ୱାସରେ ବିଷ ଦେଲେ ସ୍ୱାମୀ। ପତ୍ନୀଙ୍କ ଅଜାଣତରେ ତାଙ୍କର ଜାଲ ଦସ୍ତଖତ ଓ ନକଲି କାଗଜପତ୍ର ବ୍ୟବହାର କରି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ନେଇଥିଲେ। ଶେଷରେ ପତ୍ନୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଦୁର୍ଗା ପ୍ରସାଦ ସାମଲଙ୍କୁ କେନ୍ଦୁଝରରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାର ବିବରଣୀ ଅନୁଯାୟୀ, ଅଭିଯୁକ୍ତ ଦୁର୍ଗା ପ୍ରସାଦ ସାମଲ ଗତ ୧୮.୦୨.୨୦୨୦ ତାରିଖରେ ଏକ ଘରୋଇ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ରୁ ୪୦ ଲକ୍ଷ ୫୦ ହଜାର ଟଙ୍କାର ଏକ ମର୍ଟଗେଜ୍ ଋଣ ନେଇଥିଲେ। ଏଥିପାଇଁ ସେ ନିଜ ସ୍ତ୍ରୀଙ୍କ ଜାଲ ଦସ୍ତଖତ ଏବଂ ଜାଲିଆତି କାଗଜପତ୍ର ବ୍ୟବହାର କରିଥିଲେ। କେବଳ ସେତିକି ନୁହେଁ, ଋଣ ପରିଶୋଧ ପାଇଁ ସେ ପତ୍ନୀଙ୍କ ଅଜାଣତରେ ଓ ବିନା ସମ୍ମତିରେ ତାଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା କାଟିଥିଲେ। ଅଭିଯୋଗକାରିଣୀଙ୍କ ମୁତାବକ, ତାଙ୍କ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୩୪,୮୧,୭୭୩ ଟଙ୍କା ଏବଂ ୪,୫୪,୦୭୭ ଟଙ୍କା କଟାଯାଇଥିଲା, ଯାହା ବିଷୟରେ ସେ କିଛି ଜାଣିନଥିଲେ।

ଏନେଇ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ଫାଇନାନ୍ସ ସଂସ୍ଥା ଓ ଅଭିଯୋଗକାରିଣୀଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏହି ଠକେଇରେ ଦୁର୍ଗା ପ୍ରସାଦଙ୍କୁ ଜାଲ କାଗଜପତ୍ର ଯୋଗାଇବାରେ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଅନୁସୟା ଦାସଙ୍କୁ ପୁଲିସ ଗତ ୧୪ ତାରିଖରେ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଦୁର୍ଗା ପ୍ରସାଦ ଫେରାର ହୋଇଯାଇଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାରବେଳ ନଗର ପୁଲିସର ଏକ ଟିମ୍ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଦୁର୍ଗା ପ୍ରସାଦଙ୍କ ଘରେ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରି ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ପ୍ରମାଣରୁ ଅପରାଧ ସ୍ପଷ୍ଟ ହେବା ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଆର୍ଥିକ କାରବାରର ଚେର କେତେ ବାଟ ଲମ୍ବିଛି ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.