ଭୁବନେଶ୍ୱର OFDRA କ୍ୟାମ୍ପସରେ ମଲ୍ ଓ ମଲ୍ଟିପ୍ଲେକ୍ସ ମାଲିକ ଓ କର୍ମଚାରୀଙ୍କ ନିମନ୍ତେ ଅଗ୍ନି ନିରାପତ୍ତା ସଚେତନତା ବୈଠକ

youtube

ଭୁବନେଶ୍ୱର : ଆଜି ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA), ଭୁବନେଶ୍ୱରଠାରେ ଦୈତ୍ୟନଗରୀ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ମଲ୍ ଏବଂ ମଲ୍ଟିପ୍ଲେକ୍ସ ପରିଚାଳକ, ମାଲିକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବା ମଲ୍ ଓ ମଲ୍ଟିପ୍ଲେକ୍ସ ଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିକୁ ମଜବୁତ କରିବା ଏବଂ ସବୁ ସୁରକ୍ଷା ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଉପମହାନିରୀକ୍ଷକ ଡଃ ଉମାଶଙ୍କର ଦାଶ ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ (CFO, FPW ) ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ସହିତ ଆଲୋଚନା କରିଛନ୍ତି । ମଲ କର୍ମଚାରୀମାନଙ୍କ ସହ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଅଭ୍ୟାସ, ବାଧ୍ୟତାମୂଳକ ଫାୟାର ସେଫଟି ସାର୍ଟିଫିକେଟ୍ ଆବେଦନ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ  ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଁ ଆବେଦନ ପ୍ରକ୍ରିୟା ବୁଝାଇବା ସହିତ ଆବେଦନ ପ୍ରକ୍ରିୟା ପାଇଁ ଆବଶ୍ୟକ କାଗଜପତ୍ର ଏବଂ ଯୋଗ୍ୟତା ମାନଦଣ୍ଡ ଯଥା NBC (National Building Code)ର ଅନୁପାଳନ,ସଠିକ୍ ଅଗ୍ନି ନିର୍ବାପନ ପ୍ରକ୍ରିୟା ସଂସ୍ଥାପିତ କରିବା(Installation), ଉପଯୁକ୍ତ ପ୍ରସ୍ଥାନ ଦ୍ୱାର ଏବଂ ନିୟମିତ ମେଂଟାନାନ୍ସ ରେକର୍ଡ଼ ଉପରେ ଆଲୋକପାତ କରିଥିଲେ । ନିୟମିତ ଫାୟାର ଡ୍ରିଲ , ସ୍ପ୍ରିଙ୍କଲର ସିଷ୍ଟମ, ହାଇଡ୍ରାଣ୍ଟ, ଆଲାର୍ମ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଭଳି ଅଗ୍ନି ନିର୍ବାପନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଏବଂ ସମସ୍ତ ସୁରକ୍ଷା କାର୍ଯ୍ୟକଳାପର ନବୀକରଣ ରେକର୍ଡ଼ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କରିଥିଲେ।

ସମସ୍ତ ମଲ୍ ଏବଂ ମଲ୍ଟିପ୍ଲେକ୍ସ ୟୁନିଟ୍ ପାଇଁ ପ୍ରତି ୬ ମାସରେ ଥରେ ଦକ୍ଷ ଅଡ଼ିଟରମାନଙ୍କ ଦ୍ୱାରା ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଅଡିଟ୍ ଏବଂ ଲାଇସେନ୍ସିଂ ବ୍ୟବସ୍ଥା କରିବା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ଥିଲା । ଏହି ପଦକ୍ଷେପ ଜନଗହଳିପୂର୍ଣ୍ଣ ମଲ ଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ସହିତ ଅଗ୍ନି ଜନିତ ବିପଦକୁ ଯଥେଷ୍ଟ କମ କରିବ ବୋଲି ମତ ପ୍ରକାଶ ପାଇଛି ।

ପ୍ରତ୍ୟେକ ମଲ୍ ଏବଂ ମଲ୍ଟିପ୍ଲେକ୍ସରେ ଦୈନିକ ଯାଞ୍ଚ, ଜରୁରୀ କାଗଜପତ୍ରର ରକ୍ଷଣାବେକ୍ଷଣ, ଫାୟାର ଡ୍ରିଲ୍ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ରିପୋର୍ଟ କରିବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଜଣେ ଦକ୍ଷ ଅଗ୍ନି ନିରାପତ୍ତା ସୁପରଭାଇଜରଙ୍କୁ ନିଯୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।

ଆଲୋଚନାରେ ଭାଗନେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ, ଅଗ୍ନି ନିରାପତ୍ତା କେବଳ ଏକ ଔପଚାରିକତା ନୁହେଁ, ଏହା ହେଉଛି ପ୍ରତ୍ୟେକ ପ୍ରତିଷ୍ଠାନର କର୍ତ୍ତବ୍ୟ । ମଲ୍ ଏବଂ ମଲ୍ଟିପ୍ଲେକ୍ସଗୁଡ଼ିକୁ ଅଗ୍ନି ପ୍ରସ୍ତୁତିକୁ ଏକ ଦୈନନ୍ଦିନ ପ୍ରାଥମିକତା ଭାବରେ ଗ୍ରହଣ କରିବାକୁ ପଡ଼ିବ। ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ତାଲିମପ୍ରାପ୍ତ କର୍ମଚାରୀ , ଉପଯୁକ୍ତ ଲାଇସେଂସିଂ ଏବଂ ପ୍ରଟୋକଲ ମାନି ଦୁର୍ଘଟଣା ଘଟିବା ପୂର୍ବରୁ ହିଁ ତାହାକୁ ରୋକି ପାରିବା ବୋଲି ମତବ୍ୟକ୍ତ କରିଛନ୍ତି ।

 ଦୈତ୍ୟନଗରୀ ଭୁବନେଶ୍ୱର ଏବଂ କଟକର ପ୍ରମୁଖ ମଲ୍ ଏବଂ ମଲ୍ଟିପ୍ଲେକ୍ସର ୭୦ରୁ ଅଧିକ ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇ ଅଗ୍ନି ନିରାପତ୍ତା ମାନଦଣ୍ଡକୁ ମଜବୁତ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ୱାସନା ଦେଇଛନ୍ତି । ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ରାଜ୍ୟର ସମସ୍ତ ଵାଣିଜ୍ୟକ ପ୍ରତିଷ୍ଠାନକୁ ସର୍ବସାଧାରଣ ତଥା ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ।

Leave A Reply

Your email address will not be published.