
ବ୍ରହ୍ମପୁର/ରଙ୍ଗେଈଲୁଣ୍ଡା : ଗତ ଡିସେମ୍ବର ୩ ତାରିଖରେ ସର୍ବଣ ଓ ଏସ. ଏ. ଭି. ପବ୍ଲିକ ସ୍କୁଲ ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆ ଠାରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ବିଶ୍ୱ ଭିନ୍ନକ୍ଷମ ଦିବସ ସହିତ ବିଦ୍ୟାଳୟର ୨୦ତମ ବାର୍ଷିକ ଉତ୍ସବ ମଧ୍ୟ ଏକତ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଦେବେନ୍ଦ୍ର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ସେ ଉପସ୍ଥିତ ଅଭିଭାବକମାନଙ୍କୁ ଶିଶୁମାନଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସ୍ପଷ୍ଟ ଭାବେ ଅଭିଭାଷଣ ରଖିଥିଲେ।
ବିଦ୍ୟାଳୟ ସଭାପତି ଶ୍ରୀ ଦେବି ପ୍ରସାଦ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ବିଦ୍ୟାଳୟର ସଫଳତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିଦ୍ୟାଳୟ ଖେଳକୁଦ, ବିଜ୍ଞାନ, କଳା ଓ ଗଣିତ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ସହ ଅଭିଭାବକମାନଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ଦକ୍ଷିଣ ଓଡ଼ିଶାର ଏକ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପରିଗଣିତ ହୋଇପାରିଛି।
ଶଶୀ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀ କେ. କ୍ରିଷ୍ଣା ମୂର୍ତ୍ତି, ସହ-ସମ୍ପାଦିକା ସୁମିତ୍ରା ନାୟକ, ସୁକୁମାର ଦାଶ, ସୁବାସ ପାଢ଼ୀ, ଗୌରାଙ୍ଗ ଚୌଧୁରୀ, ଗୋପାଳ ପଟ୍ଟନାୟକ, ନାରାୟଣ ଗୌଡ଼, ଏବଂ ସଂଜୀବ ମହାପାତ୍ରଙ୍କ ଉପସ୍ଥିତିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଦକ୍ଷିଣ ଓଡ଼ିଶାର ସର୍ବପ୍ରଥମ ବିଦ୍ୟାଳୟ ଭାବେ ନିଜସ୍ୱ ‘ସ୍କୁଲ ଗାନ୍’କୁ ଟ୍ରଷ୍ଟର ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ଦାଶ ଓ ଶ୍ରୀ ହରି ପ୍ରସାଦ ଦାଶଙ୍କ ତତ୍ତ୍ୱାବଧାନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଅତିଥି ସାମୂହିକ ଭାବେ ଗାନ କରି ଶୁଭାରମ୍ଭ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତି ଶ୍ରୀ ରହିମ ଖାନ୍ଙ୍କ ଉପସ୍ଥିତି ଉତ୍ସବରେ ସମସ୍ତଙ୍କୁ ଖୁସି ବଢ଼ାଇଥିଲା।
ଏହି ଉତ୍ସବରେ ମୋଟ ପଚିଶ ଗୋଟି ସାଂସ୍କୃତିକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ଶେଷରେ, ସୁଶ୍ରୀ ସସ୍ମିତା ମହାନ୍ତିଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ ‘ଖେଳରତ୍ନ’ ଉପାଧି ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଶେଷରେ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।