
ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଏବେ ସଙ୍କଟ ଦେଇ ଗତି କରୁଛି । ବିଗତ ୪ ଦିନ ହେଲାଣି ବିମାନ ଉଡ଼ାଣ ଲଗାତାର ବିଳମ୍ବ ଏବଂ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ଦିନ ୫୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ଏୟାରପୋର୍ଟରେ ହଙ୍ଗାମା ସ୍ଥିତି ରହିଛି । ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସଙ୍କଟ ଦୂର ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।
ଏହାରି ଭିତରେ ଡିଜିସିଏ ଇଣ୍ଡିଗୋକୁ ସମନ କରିଥିବା ଜଣାପଡିଛି । ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ବୈଠକରେ ସାମିଲ ହେବାକୁ ଇଣ୍ଡିଗୋ ଅଧିକାରୀଙ୍କୁ କୁହାଯାଇଛି । ଯାତ୍ରୀମାନେ ଏୟାରପୋର୍ଟରେ ୧୨-୧୪ ଘଣ୍ଟା ଧରି ଅପେକ୍ଷା କରିଛନ୍ତି । ଯାତ୍ରୀମାନଙ୍କୁ କୌଣସି ଖାଦ୍ୟ କି ପାଣିର ବ୍ୟବସ୍ଥା କରାଯାଇନାହିଁ ।
ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ୨୨୫ ଟି, ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।
ସୂଚନାଯୋଗ୍ୟ, ଏୟାରଲାଇନ୍ସ ପାଇଁ ଦେଖା ଯାଇଥିବା ସମସ୍ୟା ମଧ୍ୟରେ ଛୋଟ ଛୋଟ ଯାନ୍ତ୍ରିକ ତ୍ରୁଟି, ଶୀତକାଳୀନ ସମୟସୂଚୀ ସଂଶୋଧନ, ପ୍ରତିକୂଳ ପାଗ, ବିମାନ ଚଳାଚଳ ବ୍ୟବସ୍ଥାରେ ବର୍ଦ୍ଧିତ ଭିଡ଼ ଏବଂ ଅପଡେଟ୍ କ୍ରୁ ରୋଷ୍ଟରିଂ ନିୟମ ପ୍ରଚଳନ ଆଦି ରହିଛି । ସାରା ଦେଶରେ ୨୩୦୦ ଘରୋଇ ବିମାନ ପରିଚାଳନା କରୁଥିବା ଇଣ୍ଡିଗୋ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ।