ଛିଡ଼ିଲାନି ସମ୍ପତ୍ତି ଭାଗ ବଣ୍ଟା ବିବାଦ, ୧୦ ଘଣ୍ଟା ପଡ଼ିରହିଲା ମୃତଦେହ

youtube

ପାରାଦୀପ: ଦଶ ଘଣ୍ଟା ପଡ଼ିରହିଲା ମା’ର ମୃତଦେହ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଛିଡ଼ିଲାନି ବିବାଦ । ମାନବିକତା ଭୁଲିଗଲା ଜନ୍ମିତ ସନ୍ତାନ । ସମ୍ପତ୍ତି ଲୋଭରେ ଭୁଲିଗଲା ସମ୍ପର୍କ । ମୋ ଭାଗ ସମ୍ପତ୍ତି ଦିଅ । ନହେଲେ ମା’ର ଅନ୍ତିମ ସତ୍କାର ହେବାକୁ ଦେବିନି । ଜମି ପାଇଁ ଅଡ଼ି ବସିଲା ପୁଅ । ସମ୍ପତ୍ତିରେ ଭାଗ ନେବା ପାଇଁ ମା’ ମୁହଁରେ ନିଆଁ ଦେବ କଣ ଓଲଟା ମରଶରୀରର ଅନ୍ତିମ ସତ୍କାର କରିବାକୁ ଦେଲାନି ପୁଅ । ଆଉ ଜମିବାଡ଼ି ବିବାଦକୁ ନେଇ ଦଶ ଘଣ୍ଟା ପଡ଼ିରହିଲା ମା’ର ମୃତଦେହ । ଝିଅ ମାନଙ୍କ ନାମରେ ସମ୍ପତ୍ତି ଥିବା ବେଳେ ପୁଅକୁ ଅଣଦେଖା କରିଥିବା ଅଭିଯୋଗ ଆଣି ସାହି ପଡିଶା ଅଟକାଇ ଥିଲେ ମା’ର ମୃତଦେହ।

ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବିଶ୍ବାଳି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମା’ ମାଳି ସାମଲ କୁଜଙ୍ଗ ବ୍ଲକ ହସିଣା ଗାଁରେ ଝିଅ ପାଖରେ ରହୁଥିବା ବେଳେ କୌଣସି କାରଣବଶତଃ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ସ୍ୱର୍ଗଦ୍ୱାର ନେବାକୁ ବାହାରିଥିବା ବେଳେ ପୁଅ ବୋହୁ ତଥା ସାହିପଡିଶା ଗାଡି ଅଟକାଇଥିଲେ । ଯାହା ଫଳରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘରେ ପଡି ରହିଥିଲା ମା’ର ମୃତଦେହ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ପୁଅ ଝିଅଙ୍କ ମଧ୍ୟରେ ବିବାଦ କାରଣରୁ ହୋଇପାରିନଥିଲା ମା’ର ଅନ୍ତିମ ସତ୍କାର । ଖବର ପାଇ ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

ସୂଚନା ଅନୁଯାୟୀ ବିଶ୍ବାଳୀ ଗାଁର କାଉରା ସାମଲ ଓ ମାଳି ସାମଲଙ୍କ ଚାରିଝିଅ ଓ ଗୋଟିଏ ପୁଅ । କାଉରା ସାମଲ ବଞ୍ଚିଥିବା ସମୟରେ ନିଜ ସମ୍ପତ୍ତିକୁ ଝିଅମାନଙ୍କ ନାମରେ କରି ଦେଇଥିଲେ । ଯାହା ଫଳରେ ଏକମାତ୍ର ପୁଅ ସମ୍ପତ୍ତିରୁ ବଞ୍ଚିତ ହୋଇ ଏକ ଚାଳ ଛପର ଘରେ ନିଜ ସ୍ତ୍ରୀକୁ ନେଇ ରହୁଥିଲେ । କାଉରା ସାମଲଙ୍କ ମୃତ୍ୟୁ ପରେ ହସିଣା ଗାଁରେ ବିଭା ହୋଇଥିବା ଝିଅ କୁମାରୀ ନିକଟରେ ମା’ ମାଳି ସାମଲ ରହୁଥିଲେ । ଗତକାଲି ମାଳି ସାମଲଙ୍କର ମୃତ୍ୟୁ ଘଟିବା ପରେ ଝିଅ କୁମାରୀ ନିଜ ମାଙ୍କୁ ଆଣି ଭାଇ ଘର ଗାଁରେ ପହଞ୍ଚିଥିଲେ । ଯାହା ପରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ମା’ର ମୃତଦେହକୁ ପୁରୀ ନେବାକୁ ବାହାରିଥିବା ସମୟରେ ଝିଅକୁ ବିରୋଧ କରିଥିଲେ ପୁଅବୋହୁ ତଥା ସାହି ପଡିଶା । ଯେ ପର୍ଯ୍ୟନ୍ତ ସମ୍ପତ୍ତି ପୁଅକୁ ମିଳିନାହିଁ ସେ ପର୍ଯ୍ୟନ୍ତ ମା’ର ମୃତଦେହର ସତ୍କାର ହୋଇପାରିବନି ବୋଲି ରୋକଠୋକ ଶୁଣାଇଥିଲେ ପୁଅ ଓ ଗ୍ରାମବାସୀ ।

ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅ ଏବଂ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ସତ୍କାର ପାଇଁ ମାର ମରଶରୀରକୁ ଛାଡ଼ିଥିଲେ ଗ୍ରାମବାସୀ । ତେବେ ବିଳମ୍ବିତ ରାତିରେ ପୁରୀର ସ୍ବର୍ଗଦ୍ଵାର ଅଭିମୁଖେ ବାହାରିଥିଲା ମା’ ମାଳି ସାମଲଙ୍କ ମୃତଦେହ ।

Leave A Reply

Your email address will not be published.