ବ୍ରହ୍ମପୁରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିଲା ଟିପିଏସ୍ଓଡିଏଲ୍

youtube

ହେଲେନ୍ କେଲର୍ ରେଡକ୍ରସ୍ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ-ହେଲେନ୍ କେଲର୍ ରେଡକ୍ରସ୍ ସ୍କୁଲ୍ ଫର୍ ଦି ଡେଫ୍, ପରିସରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଅଧିନରେ ସାମାଜିକ ପ୍ରଗତି କ୍ଷେତ୍ରରେ ଭିନ୍ନକ୍ଷମ ସଂପ୍ରଦାୟଙ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଭଳି ପ୍ରସଙ୍ଗରେ ବିଦ୍ୟାଳୟରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହାସହ ପିଲାମାନଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହ ସହକାରେ ଯୋଗ ଦେଇଛନ୍ତି । ଜନୈକ ଛାତ୍ର ଆୟୁଷ୍ମାନ ବେହେରା କହିଛନ୍ତି, “ପୋଷ୍ଟର ତିଆରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିଥିବାରୁ ମୁଁ ଖୁସି । ଏହି କାର୍ଯ୍ୟକ୍ରମ ମୋତେ ଅଧିକ ଆତ୍ମବିଶ୍ୱାସୀ କରିଛି ।”

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଅନ୍ତର୍ଭୁକ୍ତୀକରଣ ଜୀବନ ପ୍ରକ୍ରିୟାର ଏକ ପ୍ରମୁଖ ମୂଲ୍ୟବୋଧ । ପ୍ରତ୍ୟେକ ବ୍ୟକ୍ତିର ଦକ୍ଷତା ସ୍ୱତନ୍ତ୍ର ଓ ସମାଜର ସାମଗ୍ରିକ ସମୃଦ୍ଧିରେ ସେହି ଦକ୍ଷତାର ବ୍ୟବହାର ରହିଛି । ସମସ୍ତଙ୍କୁ ସମାନ ସୁଯୋଗ ଓ ସଶକ୍ତ କରିବା ନିମନ୍ତେ ସମାନ ପରିବେଶ ଯୋଗାଇବା ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ସଦାସର୍ବଦା ଆଗଭର ରହିଛି ।”

ନିରନ୍ତର ଶିକ୍ଷା, ଦକ୍ଷତା ବିକାଶ ଓ ସଶକ୍ତିକରଣ ଭଳି ପଦକ୍ଷେପ ମାଧ୍ୟମରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ସହ ସାମାଜିକ ସମାନତା ସୃଷ୍ଟି ଦିଗରେ କମ୍ପାନୀ ପ୍ରଚେଷ୍ଟା କରୁଛି । ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ କମ୍ପାନୀର ସାମାଜିକ ବିବିଧତା ଓ ବ୍ୟକ୍ତି ଅଭିବୃଦ୍ଧିର ମୂଲ୍ୟବୋଧ ପ୍ରତି ସମର୍ଥନକୁ ଦର୍ଶାଉଛି ।

Leave A Reply

Your email address will not be published.