ବିମାନ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟ ଉପରେ ବ୍ରେକ ଲଗାଇଲେ ସରକାର

youtube

ନୂଆଦିଲ୍ଲୀ : ଇଣ୍ଡିଗୋ ସଙ୍କଟ ଯୋଗୁଁ ଶହ ଶହ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଅନେକ ବିମାନର ଭଡ଼ା ବୃଦ୍ଧି ପାଇଛି । ଯାହା ଫଳରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଜାରି କରି ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନ ନେବାକୁ ଚେତାବନୀ ଦେଇଛନ୍ତି ।

ସୂଚନାନୁଯାୟୀ, ପରିଚାଳନାରେ ଅସୁବିଧା ଯୋଗୁଁ ଅନେକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି । କିଛି ବିମାନ କମ୍ପାନୀ ଅନେକ ରୁଟରେ ଅତ୍ୟଧିକ ଭଡ଼ା ଆଦାୟ କରିବା ଆରମ୍ଭ କରିଛନ୍ତି । ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ହସ୍ତକ୍ଷେପ କରିବା ସହ ଏହାକୁ ଅବଗତ କରାଇଛନ୍ତି । ମନ୍ତ୍ରଣାଳୟ ଆହୁରି ମଧ୍ୟ ସ୍ପଷ୍ଟ ଭାବେ କହିଛି ଯେ, କୌଣସି ପରିସ୍ଥିତିରେ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟକୁ ଗ୍ରହଣ କରାଯିବ ନାହିଁ । ଏହି ସବୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଭାବିତ ରୁଯରେ ଏକ ଭଡ଼ା ସୀମା ମନ୍ତ୍ରଣାଳୟ ଲାଗୁ କରିଛି । ଏହି ଭଡ଼ା ସୀମାକୁ କଡ଼ାକଡ଼ି ପାଳନ କରିବାକୁ ବିମାନ କମ୍ପାନୀକୁ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରି କହିଛି । ଏଥିସହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ଯ୍ୟନ୍ତ ଏହି ଭଡ଼ା ସୀମା କାର୍ଯ୍ୟକାରୀ ହେବ ।

ଅନ୍ୟପଟେ ବିମାନ ଚଳାଚଳ ମନ୍ତ୍ରଣାଳୟ ଭଡ଼ା ଉପରେ ନଜର ରଖିଛି । ଅନଲାଇନ୍ ଟ୍ରାଭେଲ ପ୍ଲାଟଫର୍ମ ସହିତ ଲଗାତାର ସମନ୍ବୟ କରାଯାଇଛି । ଯାହା ଦ୍ବାରା ଅନିୟମିତତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ନିର୍ଦ୍ଧାରିତ ମାନଦଣ୍ଡରୁ ଯେକୌଣସି ବିଚ୍ୟୁତି ହେଲେ ତୁରନ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି ।

Leave A Reply

Your email address will not be published.