
ମାନବାଧିକାର ଦିବସ ପାଳନ ପରିପ୍ରେକ୍ଷୀରେ ମହିଳା ବିରୋଧି ହିଂସା ନିରାକରଣ ନିମନ୍ତେ ସଚେତନତା ବାର୍ତ୍ତା
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ଆଇ ଏସ ଆର ଡି- ୱାନ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ମିଳିତ ଆନୁକୁଲ୍ଯରେ ମହିଳା ଓ ବାଳିକା ମାନଙ୍କ ବିରୋଧରେ ହେଉଥିବା ହିଂସା କୁ ସଂପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଛି । ଏହି କାର୍ଯ୍ୟକ୍ରମକୁ ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସୋରେନ୍ ଓ ଓ୍ବାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପରିଚାଳିକା ମହେଶ୍ବେତା ପାଢୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିଲା । ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ କାର୍ଯ୍ୟକଳାପ, ପ୍ରତିବର୍ଷ ୨୫ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ପାଳିତ ଏକ ଆନ୍ତର୍ଜାତୀୟ ଅଭିଯାନ, ଯାହା ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ମହିଳା ଏବଂ ବାଳିକାମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାରର ହିଂସାକୁ ଦୂର କରିବା ପାଇଁ ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ଯତମ ଅତିଥି ଭାବେ ଉପ ଆରକ୍ଷୀ ଅଧୀକ୍ଷକ ବିଶ୍ବଜ ରାଉତରାୟ ସାଇବର କ୍ରାଇମ୍ ଓ ଏହାର ନିରାକରଣ ଏବଂ ଡିଜିଟାଲ୍ ଆରେଷ୍ଟ ଉପରେ ସଚେତନତା କରାଇଥିଲେ । ନିଜର ଝାଳବୁହା ଧନକୁ ସାଇବର ଅପରାଧିଙ୍କ ଠାରୁ କିପରି ଦୂରେଇ ରହିବେ ସେଥିପ୍ରତି ସମସ୍ତେ ଯତ୍ନବାନ୍ ହେବା ଉଚିତ୍ ବୋଲି କହିଥିଲେ ।
ଅତିରିକ୍ତ ଜନ ସ୍ବାସ୍ଥ୍ଯ ଅଧିକାରୀ ଦେବାଶୀଷ ପଟ୍ଟନାୟକ କନ୍ୟା ଭୃଣ ହତ୍ୟା ଉପରେ ସଚେତନ କରାଇବା ସହ ମହିଳା ମାନଙ୍କ ଉନ୍ନତି ବିଷୟରେ ମତାମତ ରଖିଥିଲେ । ମାଆ ମାନେ ହେଉଛନ୍ତି ସୃଷ୍ଟିକର୍ତ୍ତା । ଓଡିଶା, ପଶ୍ଚିମବଙ୍ଗ ଓ ବିହାର ହେଉଛି ମାତୃଶକ୍ତିର ଉପାସକ । ଏଣୁ ମହିଳା ମାନଙ୍କ ଉପରେ ହେଉଥିବା ହିଂସାକୁ ଦୃଢ ଭାବେ ଦମନ କରିବା ଉଚିତ୍ । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଡି. ନାଗରତ୍ନମ୍ ସମାଜରୁ କିପରି ଲିଙ୍ଗଭିତ୍ତିକ ହିଂସା ଦୂର ହୋଇପାରିବ ସେଥିପ୍ରତି ମତ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ଆହ୍ବାନ ଦେଇଥିଲେ । ଜନସ୍ବାସ୍ଥ୍ୟ ଅଧିକାରୀ, ସିଟି ହସ୍ପିଟାଲ ଦିଲ୍ଲୀପ କୁମାର ପଣ୍ଡା ସମାଜରୁ କିପରି ନାରୀ ନିର୍ଯାତନା ଦୂର ହୋଇ ପାରିବ ସେଥିପ୍ରତି ସମସ୍ତ ବିଭାଗ ମିଳିତ ଭାବେ ସହଯୋଗ କରିବା ଉଚିତ୍ । ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଆଜି ହେଉଛି ବିଶ୍ବ ମାନବାଧିକାର ଦିବସ । ଏହି ଦିବସରେ କନ୍ୟା ମାନଙ୍କ ଉପରେ ହେଉଥିବା ହିଂସାକୁ ସମ୍ପୂର୍ଣ୍ଣରୂପେ ଦୂରେଇ ମହିଳା ମାନଙ୍କ ଅଧିକାରକୁ ଅଗ୍ରାଧିକାର ଦେବା ଉଚିତ୍ । “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ର ଜନ ସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର କରାଇ ପାରିଲେ ବହୁ ଲୋକ ଏଥିରୁ ଉପକୃତ ହୋଇପାରିବେ । ଆଇ . ଏସ . ଆର . ଡି. ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ମହିଳା ଓ ବାଳିକା ହିଂସା ଦୂରୀକରଣ କରିବା ପାଇଁ ସମସ୍ତେ ମିଳିତ ଭାବେ ଚେଷ୍ଟା କରିବା ସହ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଆମ ଜିଲ୍ଲାରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସୁରକ୍ଷା, ମର୍ଯ୍ୟାଦା ଏବଂ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ହେଉଛି ଏହି କାର୍ଯକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଜିଲ୍ଲା, ବ୍ଲକରେ ବିଭିନ୍ନ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରିଥିବା କଥା ଓଡିଶା ଜୀବୀକା ମିଶନ୍ କର୍ମୀ ଡିସିସି ମନୋରମା ମଲ୍ଲିକ୍ ପ୍ରକାଶ କରିଥିଲେ । ବର୍ତ୍ତମାନ ଜିଲ୍ଲାର 19 ଗୋଟି ବ୍ଲକ୍ ରେ ପ୍ରେରଣା କେନ୍ଦ୍ର ମହିଳା ମାନଙ୍କ ପାଇଁ କାର୍ଯ୍ୟ କରୁଛି । ଜିଲ୍ଲା ସ୍ତରୀୟ ମିଶନ୍ ଶକ୍ତି ମହିଳା ମହାସଂଘ ସଂପାଦିକା ଶୈଳବାଳା ରଥ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସ୍ତରୀୟ ମହିଳା ସୁରକ୍ଷା ଅଧିକାରୀ ଶାନ୍ତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା, ସମସ୍ତ ବ୍ଲକ୍ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ସହ ଆଇ . ଏସ . ଆର.ଡି, ୱାନ ଷ୍ଟପ ସେଣ୍ଟର ଓ ଶକ୍ତି ସଦନର କର୍ମକର୍ତ୍ତା ସ୍ନେହମୟୀ ପାଢୀ, ସୌଦାମିନୀ ସାହୁ, ଐଶ୍ବର୍ଯ୍ୟା ସାବତ, ଆସ୍କିଲା ରାଇକା, ପ୍ରଭାସିନୀ ପାଣିଗ୍ରାହୀ, ମଧୁସ୍ମିତା ମଲ୍ଲିକ, ଶୟନୀ ମଲ୍ଲିକ, ସୁଶୋଭିତା କାର୍ଯି, ପ୍ରଭାତ କୁମାର ପାଢୀ ଓ ଗୋପାଳ କୃଷ୍ଣ ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।