
ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ୟାନ ଦେବାକୁ ଅନୁରୋଧ…
ନୟାଗଡ଼: ପ୍ରତ୍ୟେକ ଶନିବାର ହେଉଥିବା ସକାଳୁଆ ସ୍କୁଲକୁ ସମୟ ଅନୁସାରେ ପହଞ୍ଚିବାକୁ ଶିକ୍ଷକ – ଶିକ୍ଷୟିତ୍ରୀ ମାନେ ଗୁରୁତ୍ଵ ଦେଉନାହାନ୍ତି। ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବାପରେ ଜିଲ୍ଲା ଶିକ୍ଷା ବିଭାଗ ବେଶ୍ ଗୁରୁତ୍ଵ ପ୍ରଦାନ କରି ସ୍କୁଲ ଗୁଡ଼ିକର ସ୍ଥିତି ଯାଞ୍ଚ କରିବା ପାଇଁ ନିଷ୍ପତି ନେଇଛନ୍ତି ।ଦୁଇ ଅତିରିକ୍ତ ଶିକ୍ଷାଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରି ନିୟମ ମାନୁ ନଥିବା ଶିକ୍ଷକ – ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଗତ ନଭେମ୍ବର ମାସରେ କାର୍ଯ୍ୟରେ ଅବହେଳା ପାଇଁ ୫୩ ଜଣ
ଶିକ୍ଷକ – ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଥିବାର ଜଣାପଡିଛି ।ଜିଲ୍ଲା ଶିକ୍ଷା ବିଭାଗ ର ଏହି କଡାକଡି ନିୟମ ଯୋଗୁଁ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବା ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି।ଅତିରିକ୍ତ ଶିକ୍ଷାଧିକାରୀ ବନଲତା ବେହେରା ନଭେମ୍ବର ୮ ତାରିଖରେ ତିନୋଟି ସ୍କୁଲ ପରିଦର୍ଶନ କରି ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିଥିଲେ । ଠିକ ସମୟରେ ଆସିନଥିବା ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରିଥିଲେ ।ଶିକ୍ଷାବିଭାଗର ତଥ୍ୟ ଅନୁଯାୟୀ ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୦ ଜଣ ଶିକ୍ଷକ – ଶିକ୍ଷୟିତ୍ରୀ, ଅଙ୍କୁଳାଇ ଉଚ୍ଚ ବିଦ୍ୟାଳୟ ମାନ୍ଧାତା ପୁର ବିଦ୍ୟାଳୟର ୧୧ ଜଣ ଶିକ୍ଷକ – ଶିକ୍ଷୟିତ୍ରୀ, ଲାଠିପଡ଼ା ଉଚ୍ଚ ବିଦ୍ୟାଳୟର ୧୧ ଜଣ ଶିକ୍ଷକ – ଶିକ୍ଷୟିତ୍ରୀ ଙ୍କ ଦରମା ବନ୍ଦ କରାଯାଇଛି । ସେହିପରି ନଭେମ୍ବର ୧୫ ତାରିଖ ରେ ଅନ୍ୟ ଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ବିଭିନ୍ନ ସ୍କୁଲ ପରିଦର୍ଶନ କରି ରିଜିଓନାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ଜଣ ଶିକ୍ଷକ – ଶିକ୍ଷୟିତ୍ରୀ, ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳ ର ୧୧ଜଣ ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ସହିତ ସେମାନଙ୍କୁ କରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉତ୍ତର ମିଳିବା ପରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।
ପ୍ରତ୍ୟେକ ଶନିବାର ସକାଳ ୬.୩୦ରେ ସ୍କୁଲ ଆରମ୍ଭ ନିୟମ ଥିବାବେଳେ ଶିକ୍ଷକ ମାନଙ୍କୁ ୬.୧୫ ରେ ଶିକ୍ଷକ – ଶିକ୍ଷୟିତ୍ରୀ ମାନେ ଆସିବା ପାଇଁ ନିର୍ଦ୍ଦେଶ ରହିଛି ।ଦରମା ବନ୍ଦ ହୋଇଥିବା ଅନେକ ଶିକ୍ଷକ – ଶିକ୍ଷୟିତ୍ରୀ ୭.୩୦ ପରେ ସ୍କୁଲ ଆସୁଥିବା ବେଳେ କେହି କେହି କାହାରିକୁ ନ ଜଣାଇ ଛୁଟିରେ ରହିଥିବାର ଯାଞ୍ଚ ଅଧିକାରୀ ମାନେ ଡ କହିବାକୁ ପାଇଥିଲେ ।ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ କହିଛନ୍ତି ଯେ କେବଳ ଶନିବାର ନୁହେଁ ଏଣିକି ପ୍ରତ୍ୟେକ ଦିନ ବିଦ୍ୟାଳୟ ପରିଦର୍ଶନ କରାଯିବ ଏବଂ ଯେଉଁ ଶିକ୍ଷକ – ଶିକ୍ଷୟିତ୍ରୀ ସରକାରୀ ନିୟମ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।