
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଧୀନସ୍ଥ କୁନ୍ଦେଇ ଥାନା କ୍ଷେତ୍ରର ମାରିଗାଁ ଗ୍ରାମରେ ଘଟିଥିବା ଏକ ଚୋରି ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ୯ ଡିସେମ୍ବରରେ ପ୍ରକାଶ ପାଇଛି। ଏହି ମାମଲାର ନମ୍ବର GR No–୨୮୮/୨୦୨୫ ଓ କୁନ୍ଦେଇ ପୋଲିସ କେସ ନଂ ୧୧୧/୨୦୨୫ ଭାବେ ନିବନ୍ଧିତ ଥିଲା। ଏହି ଚୋରି ମାମଲାର ଶୁଣାଣି ରାଇଘର J.M.F.C–COM କୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। କୋର୍ଟ ୯ ଜଣ ସାକ୍ଷୀଙ୍କ ଜବାନବନ୍ଦି ଓ ଘଟଣାସ୍ଥଳର ପ୍ରମାଣକୁ ଖତିଆନ କରି ଆସାମୀ ଟିକେଶ କୁମାର ମାଲିଙ୍କ ବିରୋଧରେ ଦୋଷ ସାବ୍ୟସ୍ତ କରିଛି।
ବିଚାରପତି ମହାରଣା ନୂଆ ଆଇନ BNS ର ଧାରା ୩୦୩(୨) ଅନୁସାରେ ରାୟ ଦେଇ ଆସାମୀଙ୍କୁ ନଅ (୯) ମାସର ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ଏହି ରାୟ ଦ୍ରୁତ ନ୍ୟାୟ ପ୍ରଦାନ ପ୍ରୟାସର ଉଦ୍ଦେଶ୍ୟରେ FIR ଦାଖଲ ହେବାର ୩ ମାସ ମଧ୍ୟରେ ଦିଆଯାଇଥିବା ଏକ ଉଲ୍ଲେଖନୀୟ ନ୍ୟାୟ ଅବଦାନ ଭାବେ ଗଣାଯାଉଛି।
ସରକାର ପକ୍ଷରୁ ଏହି ମାମଲାର ପରିଚାଳନା ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ତପନ କୁମାର ଗାଇନ କରିଥିଲେ। ସମଗ୍ର ଶୁଣାଣି ପ୍ରକ୍ରିୟାରେ ତାଙ୍କ ଯୋଗଦାନ ଓ ତଥ୍ୟ ଉପସ୍ଥାପନ ଏହି ରାୟକୁ ଗୁଣାତ୍ମକ ଦିଗରେ ସହାୟତା କରିଛି। ଗ୍ରାମବାସୀମାନେ ଏହି ରାୟକୁ ସ୍ୱାଗତ କରି କହିଛନ୍ତି ଯେ, ଦ୍ରୁତ ନ୍ୟାୟ ଓ ଆଇନର କଡ଼ା ମାନ୍ୟତା ଗ୍ରାମର ସୁରକ୍ଷା ବଢ଼ାଇବ ଓ ଅପରାଧୀମାନଙ୍କ ପାଇଁ ସତର୍କ ସନ୍ଦେଶ ହିସାବରେ କାମ କରିବ।