
ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ପୁନଃର୍ଜନନ ଉପରେ ଗୁରୁତ୍ଵାରୋପ
ସୁନ୍ଦରଗଡ : ଆବାହାମାନ କାଳରୁ ଜଳ, ଜମି, ଜଙ୍ଗଲ, ଜନ୍ତୁ ବହୁମୂଲ୍ୟ ପ୍ରାକୃତିକ ସମ୍ବଳ ଭାବରେ ଜଣ ସମାଜର ଜୀବନ ଧାରଣରେ ଏକ ଅବିଚ୍ଛେଦ ଅଙ୍ଗ ଭାବରେ ରହି ଆସୁଛି। ପିଢି ପିଢି ଧରି ଜଙ୍ଗଲକୁ ଭଲ ପାଇ, ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବା ଆଦିବାସୀ ଓ ପାରମ୍ପାରିକ ବନବାସୀଙ୍କ ପାଇଁ ୨୦୦୬ ରେ ପ୍ରଣଯନ ହୋଇଥିଲା ଏକ ଐତିହାସିକ ଆଇନ- ଜଙ୍ଗଲ ଅଧିକାର ଆଇନ-୨୦୦୬ । ବର୍ଷ ବର୍ଷ ପିଢି ପିଢି ଧରି ପୁରୁଷାନୁକ୍ରମେ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କର ପାରମ୍ପରିକ ଅଧିକାର ଗୁଡିକୁ ଆଇନଗତ ସ୍ବୀକୃତି ପ୍ରଦାନ କରିବା ହେଉଛି ଅନୁସୂଚିତ ଜନଜାତି ଓ ଅନ୍ଯାନ୍ଯ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ବୀକୃତି ) ଆଇନ,୨୦୦୬ ର ଆଭିମୁଖ୍ୟ । ଏହି ଆଇନ ଅନୁସୂଚିତ ଜନଜାତି ଓ ଅନ୍ଯାନ୍ଯ ପାରମ୍ପରିକ ବନବାସୀମାନଙ୍କ ପ୍ରତି ହୋଇ ଆସିଥିବା ଐତିହାସିକ ଅନ୍ୟାୟକୁ ଆଇନଗତ ସ୍ବୀକୃତି ମାଧ୍ୟମରେ ଦୂର କରିବା ସହ ସେମାନଙ୍କୁ ଜଙ୍ଗଲ ଜମି ଓ ଜଙ୍ଗଲ ସମ୍ପଦର ବ୍ୟବହାର ଉପରେ ଅଧିକାର ପ୍ରଦାନ କରୁଛି । ସେମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁରକ୍ଷିତ କରିବା ସହ ପରିବେଶ ସନ୍ତୁଳନକୁ ରକ୍ଷା କରିବା ଓ ବନବାସୀ ମାନଙ୍କର ସହଭାଗିତାରେ ଜଙ୍ଗଲ ସମ୍ବଳର ସଂରକ୍ଷଣକୁ ସୁଦୃଢ କରିବା ଦିଗରେ ଏହି ଅଧିନିୟମ ସହାୟକ ହୋଇପାରିବ। ଏଣୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସହିତ ଜଙ୍ଗଲ ସମ୍ବଳ ଅଧିକାର ଦ୍ଵାରା ଲୋକଙ୍କୁ ସେମାନଙ୍କ ଉଚିତ ହକ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ ବିକାଶ ଭବନ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ଓ ଫାଉଣ୍ଡେସନ ଫର ଇକୋଲୋଜିକାଳ ସିକ୍ୟୁରିଟି, ଭୁବନେଶ୍ଵରର ମିଳିତ ଉଦ୍ୟମରେ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଉପରେ ଏକ ଉପଖଣ୍ଡ ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ସେବକର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ଵାଗତ ଅଭିଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଉପଜିଲ୍ଲାପାଳ ତେଜସ୍ଵିନୀ ବେହେରା ସଭାପତିତ୍ଵ କରି କହିଥିଲେ ଯେ ପିଢି ପିଢି ଧରି ଜଙ୍ଗଲକୁ ଭଲ ପାଇ, ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବା ଆଦିବାସୀ ଓ ପାରମ୍ପାରିକ ବନବାସୀଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ଯୁଗାନ୍ତକାରୀ ପଦକ୍ଷେପ ତଥା ଗୋଷ୍ଠୀ ଜଙ୍ଗଳ ସମ୍ବଳ ପରିଚାଳନା ଯୋଜନା ଉନ୍ନତିର ମାର୍ଗଦର୍ଶିକା ସାଜିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି କର୍ମଶାଳାର ଆୟୋଜନ ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ଓ ଫାଉଣ୍ଡେସନ ଫର ଇକୋଲୋଜିକାଳ ସିକ୍ୟୁରିଟି (ଏଫ.ଇ.ଏସ.) କୁ ସାଧୁବାଦ ଜଣାଇଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ସୁନ୍ଦରଗଡର ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର କୁମାର ସେଠୀ କହିଥିଲେ ଯେ “ଗୋଷ୍ଠୀ ଜଙ୍ଗଳ ସମ୍ବଳ ପରିଚାଳନା ଯୋଜନା ଜଙ୍ଗଲ ସୁରକ୍ଷା ସହିତ ଗୋଷ୍ଠୀର ଜୀବନ ଜୀବିକାରେ ଉନ୍ନତି ଆଣିବା ଦିଗରେ ସହାୟକ ହେବ। ସୁନ୍ଦରଗଡ ବନଖଣ୍ଡର ସହକାରୀ ବନ ସଂରକ୍ଷକ ରାଜକୁମାର ସେଠୀ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପରିଚାଳନା ଓ ପୁନଃର୍ଜନନ ଉପରେ ଗୁରୁତ୍ଵାରୋପ କରିଥିଲେ। ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବରେ ଏଫ.ଇ.ଏସ. ଭୁବନେଶ୍ଵରର ବିରଞ୍ଚି ପାଇକରାୟ ଯୋଗଦାନ କରି ଜଙ୍ଗଲ ଅଧିକାର ଆଇନର ସ୍ଥିତି, ବିଭିନ୍ନ ପ୍ରକାରର ଜଙ୍ଗଲ ଅଧିକାର, ଗ୍ରାମସଭା, ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ କମିଟିର ଭୂମିକା ଓ କାର୍ଯ୍ୟ, ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଓ ଯୋଜନା, ଅଧିକାର ପରବର୍ତ୍ତୀ ପଦକ୍ଷେପ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସୁନ୍ଦରଗଡ ସଦର ସବଡିଭିଜନର ପ୍ରତ୍ୟେକ ବନାଞ୍ଚଳ ଅଧିକାରୀ, ତହସିଲଦାର, ବନପାଳ, ରାଜସ୍ୱ ବିଭାଗର କର୍ମକର୍ତ୍ତା, ବ୍ଲକସ୍ତରୀୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି, ଉପଖଣ୍ଡ ସ୍ତରୀୟ କମିଟିର ସଭ୍ଯ/ସଭ୍ୟା, ଜଙ୍ଗଲ ଅଧିକାର କମିଟିର ସଭ୍ୟ/ସଭ୍ୟା ତଥା ସେବକର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ । ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ମନୋରଞ୍ଜନ ମଲ୍ଲିକ, ବେଦବ୍ୟାସ ଧୃଆ, ଧୀରଜ ସାହୁ, ତରଣୀସେନ ରଣା, ଚନ୍ଦ୍ର ଶେଖର ପଟେଲ, ସନ୍ତୋଷି ବାଗ, ସାବିତ୍ରୀ ରାଉତ, ଜସ୍ମିନ ପଟେଲ ତଥା ଜଙ୍ଗଲ ଅଧିକାର ସେଲର ଭବାନୀ କନ୍ତାରି, ଅମିତ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମନିଷ କାଲୋ ଧନ୍ୟବାଦ ଅର୍ପଣ କରିଥିଲେ।