
କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମେଣ୍ଢାମାଳର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡା । ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେମାନେ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ ।
ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା । ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।