ବେଙ୍ଗାଳୁରୁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ

youtube

ବେଙ୍ଗାଲୁରୁ: ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ବିଦ୍ୟୁତ ସଂସ୍ପର୍ଶରେ ଆସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କାହିଁକି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରବାସୀ ଓଡ଼ିଆ ସଂଗଠକ ତଥା ସମ୍ପର୍କୀୟ । ତେବେ ବେଙ୍ଗାଳୁରୁରେ ଘଟିଛି ଏଭଳି ବଡ଼ ଅଘଟଣ । ପେଣ୍ଟର ଭାବେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟରତ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେବା ପରେ ଉଠିଛି ଅନେକ ପ୍ରଶ୍ନ । ଯାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ବେଙ୍ଗାଲୁରୁ ବିଟିଏମ ଲେଆଉଟ ସ୍ଥିତ ସୁଡାଗୁଣ୍ଟେପାଳିଆ ଠାରେ ଘଟିଛି ଏଭଳି ଅଘଟଣ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ହରିପୁର ଗାଁର ବଳରାମ ସାମଲଙ୍କ ୩୫ ବର୍ଷୀୟ ପୁଅ ଶ୍ରୀକାନ୍ତ ସାମଲ ।  ଜଣେ ଠିକାଦାର ଅଧୀନରେ ରହି ଏକ ପିଜିରେ ରଙ୍ଗ କାର୍ଯ୍ୟ କରୁଥିଲେ ଶ୍ରୀକାନ୍ତ । କିନ୍ତୁ ଗତ କାଲି ସେହି କୋଠାରେ କାମ କରୁଥିବାବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ ଶ୍ରୀକାନ୍ତ । ସାଙ୍ଗରେ ଥିବା ଉଲ୍ଲାସ ନାୟକ ଓ ବିକ୍ରମ ସାମଲ କହିବା କଥା ଶ୍ରୀକାନ୍ତ ରଙ୍ଗ ଦେଉଥିବା ବେଳେ ହଠାତ ଜୋରରେ ଶବ୍ଦ ହୋଇଥିଲା । ଉଚ୍ଚ ଶବ୍ଦ ଶୁଣି ସେମାନେ ସାଙ୍ଗ ପାଖକୁ ଯାଇଥିଲେ, ଆଉ ଦେଖିବାକୁ ପାଇଥିଲେ ଶ୍ରୀକାନ୍ତ ପୁରା ଜଳି ଯାଇଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ମେଡିକାଲକୁ ଶ୍ରୀକାନ୍ତଙ୍କୁ ନେଇ ଯାଇଥିଲେ ସାଙ୍ଗମାନେ । କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଶ୍ରୀକାନ୍ତଙ୍କ ଭାଇ ଓ ସାଙ୍ଗସାଥିମାନେ ଏକତ୍ରିତ ହୋଇ ଥାନାରେ ଏତଲା ଦେବାକୁ ଯାଇଥିଲେ । ପ୍ରଥମେ ପୋଲିସ କିଛି ଶୁଣି ନଥିବାବେଳେ ପ୍ରବାସୀ ଓଡ଼ିଆ ସଂଗଠକଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିଥିଲା । କେମିତି ଓ କେଉଁ ପରିସ୍ଥିତିରେ ଶ୍ରୀକାନ୍ତଙ୍କ ଜୀବନ ଯାଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ଯାଜପୁରରେ ଶ୍ରୀକାନ୍ତଙ୍କ ମରଶରୀର ପହଞ୍ଚି ଯାଇଥିବାବେଳେ ଏବେ ଉଠିଛି ଅନେକ ପ୍ରଶ୍ନ । କାହିଁକି ସୁରକ୍ଷା ବ୍ୟବସ୍ଥା ନଥିଲା, ଶ୍ରୀକାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ରହିବ ? କୋଠା ମାଲିକଙ୍କ ଅବହେଲା ପାଇଁ ଚାଲିଗଲା ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ବୋଲି ଅଭିଯୋଗ ଆଣିଛନ୍ତି ପ୍ରବାସୀ ଓଡ଼ିଆ । ଏନେଇ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।

ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ବାପା ବଳରାମ । ମୁଣ୍ଡରେ ଦୁଇ ଦୁଇଟି ବଢିଲା ଝିଅ । ସେପଟେ ପାରଲିସିସ୍ ରେ ପୀଡିତ ସ୍ତ୍ରୀ । ଏପରିସ୍ଥିତିରେ ପୁଅ ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ବଳରାମ ।

Leave A Reply

Your email address will not be published.