
ବାଲିଗୁଡା : ଏମିତି ବି ଆସେ ମୃତ୍ୟୁ l ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ l ଏମିତି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗ ପଂଚାୟତର ଗୋଛାପଡା ଗାଁରେ l ଅମୃତ ଭଣ୍ଡାଟିର ଓଜନ ଥିଲା ସାତ କେଜି ଛଅ ଶହ ଦଶ ଗ୍ରାମ l ଏହି ଅମୃତ ଭଣ୍ଡାଟି ମହିଳାଙ୍କ ଛାତିରେ ପଡିଥିଲା l ଫଳରେ ଦୁର୍ଘଟଣା ସ୍ଥାନରେ ଚାଲିଯାଇଛି ମହିଳାଙ୍କ ଜୀବନ l ଗଛରୁ ଅମୃତ ଭଣ୍ଡା ତୋଳୁଥିବା ବେଳେ କୋଡିଏ ଫୁଟ ଉଚ୍ଚାରୁ ଏହି 7 କେଜି 610 ଗ୍ରାମର ଅମୃତ ଭଣ୍ଡା ପଡିଥିଲା ମହିଳାଙ୍କ ଉପରେ l ମୃତ ମହିଳା ଗୋଚ୍ଛାପଡା ଗାଁ ର ଚନ୍ଦ୍ରକଳା ଦିଗାଲ l
ସୂଚନା ଅନୁଯାୟୀ ତରକାରୀ ପାଇଁ ଗୋଚ୍ଛାପଡା ଗାଁର ନିଜ ମାଉସୀଙ୍କ ଘରକୁ ଅମୃତ ଭଣ୍ଡା ତୋଳିବାକୁ ଯାଇଥିଲେ ଚନ୍ଦ୍ରକଳା l ତେବେ ଗଛଟି ପ୍ରାୟ କୋଡିଏ ଫୁଟ ଉଚ୍ଚ ହୋଇଥିବା କାରଣରୁ ମହିଳା ଜଣକ ଏକ ଦଉଡି ଖଟରେ ଚଢି ଅମୃତ ଭଣ୍ଡା ତୋଳୁଥିଲେ l ସେହି ସମୟରେ ଖଟର ଦଣ୍ଡା ଭାଙ୍ଗି ଯିବାରୁ ମହିଳା ଜଣକ ତଳେ ପଡି ଯାଇଥିଲେ l ଠିକ ଏହି ସମୟରେ ଦୁର୍ଭାଗ୍ୟବଶତଃ ଗଛରୁ 7 କେଜି 610 ଗ୍ରାମର ଅମୃତ ଭଣ୍ଡାଟି ମହିଳାଙ୍କ ଛାତି ଉପରେ ପଡି ଯାଇଥିଲା l
ମହିଳା ଜଣକ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ l ପରିବାର ଲୋକ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏପରି ଏକ ଘଟଣା ପରେ ଗୋଚ୍ଛାପଡା ଗାଁରେ ଶୋକର ଛାୟା ଖେଳିଯାଇଛି l ଭଣ୍ଡାଟିକୁ ପୋଲିସ ଜବତ କରିଥିବା ବେଳେ ଏବେ ଭଣ୍ଡାଟି ପୋଲିସ ହେପାଜତରେ ଅଛି l ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ପଠାଇଛି l