
ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ “ସମ୍ପୂର୍ଣ୍ଣ ଅବରୋଧ” ଘୋଷଣା ପରେ ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାରି ମଧ୍ୟରେ ଏମ୍.ଟି ସେଞ୍ଚୁରୀଜ୍’ ଜାହାଜ ଜବତ ହୋଇଛି ।
କାରିବିଆନ୍ ସାଗରରେ ଆମେରିକା କୋଷ୍ଟଗାର୍ଡ ଏହି ଟାଙ୍କରକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଜାହାଜରେ ପ୍ରାୟ ୧୮ ଲକ୍ଷ ବ୍ୟାରେଲ୍ ଭେନେଜୁଏଲା ତେଲ ଥିଲା । ଧରାପଡ଼ିବା ଭୟରେ ଏହା ‘କ୍ରାଗ୍’ ନାମକ ଏକ ନକଲି ନାମ ବ୍ୟବହାର କରି ତେଲ ଲୋଡ୍ କରିଥିଲା । ଏହି ତେଲ ଚୀନ୍ କୁ ପଠାଯାଉଥିଲା । ଏହି ଜାହାଜଟି ପୂର୍ବରୁ କଟକଣା ତାଲିକାରେ ନଥିଲା । ଗତ ୧୦ ତାରିଖରେ ଏମ୍.ଟି ସ୍କିପର୍ ଜାହାଜକୁ ଜବତ କରିଥିଲା ଆମେରିକା । ଏଥିସହ ଭେନେଜୁଏଲା ଉପକୂଳ ନିକଟରେ ଆମେରିକା ସେନା ହେଲିକପ୍ଟର ସାହାଯ୍ୟରେ ଏହି ବିଶାଳ ଜାହାଜକୁ ଜବତ କରିଛି । ଏହି ଜାହାଜଟି ଇରାନର ତେଲ କାରବାର ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଅଭିଯୋଗରେ ୨୦୨୨ରୁ କଟକଣା ଘେରରେ ଥିଲା । ଜାହାଜଟି ନିଜର ଟ୍ରାକିଂ ସିଷ୍ଟମ ବନ୍ଦ କରି ଏବଂ ନକଲି ପତାକା ବ୍ୟବହାର କରି ଚୋରାରେ ତେଲ ଚାଲାଣ କରୁଥିଲା । ଏଥିରେ ପ୍ରାୟ ୧୮ ରୁ ୨୦ ଲକ୍ଷ ବ୍ୟାରେଲ୍ ତେଲ ଥିଲା । ଆମେରିକା କହିଛି, ତେଲ କାରବାରରୁ ମିଳୁଥିବା ଅର୍ଥକୁ ନିଶା କାରବାର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି । ତେଣୁ ଏଭଳି ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆଗକୁ ମଧ୍ୟ ଏମିତି କଡ଼ା ପଦକ୍ଷେପ ନିଆଯିବ ।