
ନୟାଗଡ଼: ନୟାଗଡ଼ ପୌର ପରିଷଦରେ କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହୁନି କି ଜନସଚେତନତା କରାଯାଉନାହିଁ । ଠିକାରେ ମାଳମାଳ କର୍ମଚାରୀ ନିଯୁକ୍ତି କରି ବାର୍ଷିକ ପ୍ରାୟ ୧କୋଟି ୮୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର ସହରବାସୀ ଆବଶ୍ୟକୀୟ ସୁବିଧା ପାଇ ପାରୁନାହାନ୍ତି । ସ୍ଵଚ୍ଛସାଥି, ସୁପରଭାଇଜର୍, ସଫେଇ କର୍ମଚାରୀ, ଅଳିଆ ଉଠାଇବା ଗାଡ଼ି, ବ୍ୟାଟେରୀ ଚଳିତ ଗାଡ଼ି ଏହିପରି ଅନେକ ସୁବିଧା ରହିଥିଲେ ମଧ୍ୟ ନୟାଗଡ଼ ସହରର ଯେଉଁଠାରେ ଦେଖିବ ଆବର୍ଜନା ଗଦା ହୋଇରହିଛି ।କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସହରବାସୀ ଏହାର ଲାଭ ପାଉନାହାଁନ୍ତି ।ସଫେଇ ନାଁରେ ପୌର ପରିଷଦର ହାତ ସଫେଇ କରୁଛି ବୋଲି ସାଧାରଣରେ ଦାବି ହେଉଛି ।ସୂଚନା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ସଫେଇ ପାଇଁ ପୌର ପରିଷଦ ପକ୍ଷରୁ ୧କୋଟି ୮୧ ଲକ୍ଷ ୭୪ ହଜାର ୪୮ ଟଙ୍କା ଖର୍ଚ୍ଚ କରାଯାଇଛି ।୨୦୨୩-୨୪ ରେ ୧ କୋଟି ୬୧ ଲକ୍ଷ ୧୮ ହଜାର ୮୯୦ ଟଙ୍କା ଖର୍ଚ୍ଚ ହୋଇଛି ।ସେହିପରି ୨୦୨୨-୨୩ ବର୍ଷରେ ୧ କୋଟି ୪୬ ଲକ୍ଷ ୫୩ ହଜାର ୫୪୩ ଟଙ୍କା ଖର୍ଚ୍ଚ କରାଯାଇଛି ।ମାର୍କେଟ ଗୁଡ଼ିକର ଅବସ୍ଥା ସାଙ୍ଘାତିକ ହୋଇଥିବା ବେଳେ କୁଢ଼କୁଢ଼ ଆବର୍ଜନା ଦୋକାନ ଆଗରେ ଗଦା ହୋଇ ରହିଛି ମାତ୍ର ଏହାକୁ ସଫା କରିବା ପାଇଁ କୌଣସି ଧ୍ୟାନ ଦିଆ ଯାଉନାହିଁ । ନୟାଗଡ଼ ରାଜୀବ ମାର୍କେଟ ସାମ୍ନାରେ ପ୍ରତ୍ୟେକ ଦିନ ଅଳିଆ ଗଦା ହୋଇ ରହୁଛି। ସେହିପରି ଓଡ଼ଗାଁ ରାସ୍ତାରେ ଥିବା ପରିବା ବଜାର , ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକ ନିକଟରେ ଥିବା ଦୋକାନ ସାମ୍ନା, ତ୍ରିନାଥ ଛକ, କଲେଜ ଛକ ଭଳି ନୟାଗଡ଼ ର ପ୍ରମୁଖ ସ୍ଥାନଗୁଡିକରେ ଥିବା ଆବର୍ଜନା ଗଦା ଅସ୍ଵଚ୍ଛ ନୟାଗଡ଼ର ବାର୍ତ୍ତା ଦେଉଛି ।ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।ନୟାଗଡ଼ ଜନ ପ୍ରତିନିଧି ମାନେ ସେବା ବଦଳରେ ସରକାରୀ ଅର୍ଥର ଠିକାଦାର ସାଜି ରୋଜଗାର କରିବାକୁ ଶ୍ରେୟ ମଣୁଛନ୍ତି।ନୟାଗଡ଼ ଜିଲ୍ଲାର ଉନ୍ନତି ଓ ବିକାଶ ପଥରେ ଏହି ବେପରୁଆ କାର୍ଯ୍ୟ ନୟାଗଡ଼ କୁ ନିମ୍ନ ସ୍ତରକୁ ନେବ ବୋଲି ଆଲୋଚନା ହେଉଛି । ନୟାଗଡ଼ ପୌର ପରିଷଦ ପକ୍ଷରୁ ନିୟମିତ ସଫେଇ କର୍ମଚାରୀ ଏବଂ ଠିକା କର୍ମଚାରୀ ମାନେ ସହରର ବିଭିନ୍ନ ୱାର୍ଡ ରୁ ସଫେଇ ଆଳରେ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି ।ଦୈନିକ ସକାଳ ୭ଟା ପୂର୍ବରୁ ସଫେଇ କରିବାର ନିୟମ ରହିଥିବା ବେଳେ ଦିନ ୧୧ ପର୍ଯ୍ୟନ୍ତ ସଫେଇ କର୍ମଚାରୀ ଝାଡୁ ଧରି ବଜାରରେ ଦେଖିବାକୁ ମିଳୁଛି ।ଏହାର ତଦାରଖ ପାଇଁ ପୌର ପରିଷଦ ପକ୍ଷରୁ କୌଣସି ଧ୍ୟାନ ଦିଆ ଯାଉନାହିଁ।ସହର ରେ ବାସ କରୁଥିବା ହୋଲ୍ଡିଂ ଟାସ୍କ ବ୍ୟତୀତ ସଫେଇ ପାଇଁ ପ୍ରତ୍ୟେକ ମାସରେ ଅର୍ଥ ପୈଠ କରୁଛନ୍ତି ତଥାପି ଅବସ୍ଥା ସୁଧୁରୁନାହିଁ । ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସଫେଇ କାର୍ଯ୍ୟରେ ଅବହେଳାକୁ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।