ନାଗରିକ ବିଚାର ମଞ୍ଚ : ବିଧାୟକଙ୍କ ଦରମା ବୃଦ୍ଧି ରାଜ୍ୟ ବାସୀଙ୍କ କଟା ଘାରେ ଚୂନ !

youtube

ବ୍ରହ୍ମପୁର : ନାଗରିକ ବିଚାର ମଞ୍ଚ ପକ୍ଷରୁ ବିଧାୟକମାନଙ୍କ ଦରମା ବୃଦ୍ଧି କେତେ ଦୂର ଯଥାର୍ଥ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଗେଟ ବଜାରସ୍ଥିତ ଏନଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳାମାନେ ଅଧିକାର ପାଇଁ ଶୀତ କାକରରେ ସଂଘର୍ଷ କରୁଥିବା ସମୟରେ ସମସ୍ତଙ୍କ ଦାବିକୁ କର୍ଣ୍ଣପାତ ନକରି ବିଧାନସଭାର ଶୀତକାଳିନ ଅଧିବେଶନର ଶେଷ ଦିନରେ ସର୍ବସମ୍ମତ ଭାବେ ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦରମାକୁ ପ୍ରାୟ ତିନିଗୁଣକୁ ବୣଦ୍ଧି କରାଯାଇଛି । ଅର୍ଥ ଅଭାବର ଆଳ ଦେଖାଇ ଓଡିଶା ପରି ଏକ ଗରିବ ରାଜ୍ୟର ଅଧିକାଂଶ ଜନତାଙ୍କୁ ସରକାର ବିଭିନ୍ନ ମୂଳଭୂତ ସୁବିଧା ଯୋଗାଇବାରେ ବିଫଳ ହେଉଥିବା ବେଳେ ରାଜ୍ୟର ଲୋକ ପ୍ରତିନିଧିମାନେ ଏତେ ପରିମାଣର ଦରମା ଓ ଭତ୍ତା ନେବା ପରିତାପର ବିଷୟ । ବିଜେଡି ସରକାରଙ୍କ ୨୪ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାରକୁ ରୋକ ଲଗାଇ ରାଜ୍ୟର ବିକାଶ କରିବା ପାଇଁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା ସେସବୁକୁ ପୂରଣ କରିବାରେ ଆଜି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡ଼ିଛି ଏଥିପାଇଁ ଆଦିବାସୀ, ଦଳିତ, ମହିଳା ଆଜି ଅସୁରକ୍ଷିତ। ଚାଷୀଭାଇର ଧାନ କ୍ରୟ କରିବାରେ ବିଫଳ ହୋଇଥିବାରୁ କୃଷକ ଭାଇ ଚିନ୍ତାରେ, ଠିକା ଓ ଆଉଟସୋର୍ସିଙ୍ଗ ଶ୍ରମିକଙ୍କ ସ୍ଥାୟୀ କରିବା ବଦଳରେ ଶ୍ରମିକ ଛଟେଇ, କାର୍ଯ୍ୟ ସମୟ ବୃଦ୍ଧି ଆଦି ଶ୍ରମିକ ବିରୋଧୀ ନୀତି, ନୂତନ ନିଯୁକ୍ତି ବନ୍ଦ ହୋଇଥିବାରୁ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର, ସ୍କୁଲ, କଲେଜ, ବିଶ୍ବ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ, କର୍ମଚାରୀ, ଅଧ୍ୟାପକ ମରୁଡି ଯୋଗୁଁ ଶିକ୍ଷା ଅଧିକାର ରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଡାକ୍ତର ଅଭାବ ଯୋଗୁଁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ଏହାକୁ ସୁସଂଗଠିତ, ସୁବ୍ୟବସ୍ଥିତ କରିବା ପାଇଁ ବିଧାନସଭାରେ ଯେଉଁ ଗୁରୁଦାୟିତ୍ଵ ବହନ କରିବା କଥା ସେ ଦିଗରେ କାମ ନକରି ଜଳ, ଜଙ୍ଗଲ, ଜମି ଆଦି ପ୍ରାକୃତିକ ସଂପଦ ଏବଂ ବିଶାଳ ଶ୍ରମ ଶକ୍ତିକୁ କର୍ପୋରେଟ ତଥା ପୁଞ୍ଜିପତି ସ୍ବାର୍ଥରେ ଟେକି ଦେଉଛନ୍ତି ଆମ ବିଧାୟକମାନେ । ଛାତ୍ର, ଯୁବକ, ମହିଳା, ଆଦିବାସୀ, ଦଳିତ, କୃଷକ, ଶ୍ରମିକ ବିରୋଧୀ, ବସ୍ତି ବିରୋଧୀ ନୀତି ପ୍ରଣୟନ କରୁଥିବା ଏକ ହରିଲୁଟ୍ ସରକାର ଭାବେ ପ୍ରମାଣିତ ହୋଇଛି ବୋଲି ଉପସ୍ଥିତ ବକ୍ତାମାନେ ପ୍ରକାଶ କରିଛନ୍ତି। ବିଧାନସଭାରେ ୧୦୭ ଜଣ କୋଟିପତି ବିଧାୟକଥିବା ସତ୍ବେ ଜନସେବା କରିବା ପାଇଁ ଆସିଥିବା ସବୁ ଦଳର ବିଧାୟକମାନ ସର୍ବସମ୍ମତି କ୍ରମେ ନିଜର ୩ ଗୁଣ ଦରମା ବୃଦ୍ଧି ଏବଂ ବିଧାୟକଙ୍କ ଦରମା କ୍ଷେତ୍ରରେ ଦେଶରେ ଏକ ନମ୍ବର ରାଜ୍ୟ ପରିଣତ କରି ରାଜ୍ୟବାସୀଙ୍କୁ ଉପହାସ କରି କଟା ଘାରେ ଚୂନ ମାରିଛନ୍ତି ବୋଲି ସ୍ତମ୍ଭକାର ତଥା ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ବର୍ଣ୍ଣନା କରିଛନ୍ତି। ବର୍ଷିୟାନ ସାମ୍ବାଦିକ ତଥା ଆଲୋଚନା ସଭାର ଅଧ୍ୟକ୍ଷତା କରିଥିବା ବାଗ୍ମୀ ରବି ରଥ ବର୍ତ୍ତମାନ ର ବିଧାୟକମାନେ ସମସ୍ତ ନୀତି ଓ ନୈତିକତା ହରାଇ ବସିଛନ୍ତି। ସାମ୍ବାଦିକ ମାନଙ୍କ ପାଇଁ ପେନସନ ଏବଂ ଦରମା ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର ସେ ଦିଗରେ ସାମାନ୍ୟ ପଦକ୍ଷେପ ନେଇନଥିବା ସମୟରେ ନିଜ ଦରମା ବୃଦ୍ଧି ପାଇଁ ସମସ୍ତ ବିଧାୟକ ଏକ ହେବା ଆଗାମୀ ଦିନରେ ରାଜ୍ୟବାସୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁଞ୍ଜିପତିଙ୍କ ସେବା କରିବା ପାଇଁ ଆସିଥିବା ଦଳ ଓ ବିଧାୟକମାନଙ୍କ ଠାରୁ ରାଜ୍ୟ ବାସୀଙ୍କ ଅଧିକାର ଏବଂ ବିକାଶ ଚିନ୍ତା କରିବା ବଦଳରେ ଆମମାନଙ୍କ ସଂଘର୍ଷ ଓ କର୍ତ୍ତବ୍ୟ ଦିଗରେ ଅଗ୍ରସର ହେବା ଆବଶ୍ୟକ ବୋଲି ଛାତ୍ର ନେତା ନିମାଇଁ ଚରଣ ସାହୁ ଆହ୍ବାନ ଦେଇଥିଲେ।

ରାଜ୍ୟରେ ନରେଗା ଶ୍ରମିକଙ୍କୁ ଆଜି ମଧ୍ୟ ୧୦୦ ଦିନର କାମ କିମ୍ବା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ମିଳୁନାହିଁ ସେମାନେ କିପରି ବଞ୍ଚୁଛନ୍ତି, ମନରେଗା ଦୁର୍ନୀତି କୁ ରୋକିବା, ଅମାନବୀୟ ଠିକା ଶ୍ରମ ପ୍ରଥା ରଦ୍ଦ କରିବା, ନିର୍ମାଣ ଶ୍ରମିକ, ସ୍ମିମ ଓ୍ବାର୍କର ଓ ଗିଗ ଓ୍ବାର୍କରଙ୍କ ସ୍ଥାୟୀତ୍ବ, ‌ଭବିଷ୍ୟତ, ସାମାଜିକ ସୁରକ୍ଷା ଏବଂ ବଜାର ଦର ଅନୁଯାୟୀ ଦୈନିକ ସର୍ବନିମ୍ନ ମଜୁରୀ ୧ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ନେଇ ବିଧାନସଭାରେ ଚର୍ଚ୍ଚା କରି ଶ୍ରମିକ ସମାଜର ଭବିଷ୍ୟତ ଗଢ଼ିବା ବଦଳରେ କାର୍ଯ୍ୟ ସମୟ ବୃଦ୍ଧି କରିଥିବା ସରକାର ବିଧାୟକଙ୍କ ଦରମା ବୃଦ୍ଧି ଶ୍ରମିକ ସମାଜର ପ୍ରତି ଉପହାସ ବୋଲି ଶ୍ରମିକ ନେତା ଶଙ୍କର ଇନକିଲାବ ନିଜ ମତପୋଷଣ କରିଥିଲେ। ସାମାଜିକ ପେନସନ ୩ ହଜାର ଟଙ୍କା ପେନସନ ଦେବାକୁ ବିଫଳ ହୋଇଥିବା ସରକାର କିନ୍ତୁ ବିଧାୟକଙ୍କ ୩ ଗୁଣ ଦରମା ବୃଦ୍ଧି କ୍ଷେତ୍ରରେ କୁଣ୍ଠାବୋଧ ପ୍ରକାଶ କରିନଥିଲା ବୋଲି ହେତୁବାଦୀ ନାନ୍ଦେଷୁ ସେନାପତି ପ୍ରକାଶ କରିଛନ୍ତି। ବିଧାୟକଙ୍କ ଦରମା ବୃଦ୍ଧି ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ବିଧାୟକମାନେ କର୍ପୋରେଟ ଜଗତର ଦଲାଲି କରିବା ପାଇଁ ଆସିଛନ୍ତି ସେଥିପାଇଁ ବିଧାୟକଙ୍କ ଦରମା ବୃଦ୍ଧି ନିଶ୍ଚିତରୁପେ ରାଜ୍ୟବାସୀଙ୍କ ଆଖି ଖୋଲି ଦେଇଛି। ଏହା ବିରୁଦ୍ଧରେ ଅଧିକ ଜାଗରଣ ସୃଷ୍ଟି କରିବା ପାଇଁ ବ୍ୟାପକ ବୈଦ୍ଧିକ ସଭା, ଐକ୍ୟବଦ୍ଧ ସଂଘର୍ଷ ର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ରାଜନୈତିକ କର୍ମୀମାନେ ମତପ୍ରକାଶ କରିଛନ୍ତି। ସବୁ ସମୟରେ ସ୍ବର ଉତ୍ତୋଳନ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ନାଗରିକ ବିଚାର ମଞ୍ଚ ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସଭାପତିତ୍ଵ କରିଥିଲେ । ଏହି ସଭାରେ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଘ୍ନେଶ୍ୱର ସାହୁ, ଶଙ୍କର ଇନକିଲାବ, ନିମାଇଁ ଚରଣ ସାହୁ, ନାନ୍ଦେଶୁ ସେନାପତି, ଆଦିତ୍ୟ ରଥ, ଲିଙ୍ଗରାଜ ସ୍ୱାଇଁ, ଅଶୋକ ଦଳେଇ, ପପୁନ ସାହୁ, କିସାନ୍ କୁମାର ସାହୁ, ପ୍ରଶାନ୍ତ କୁମାର ଶତପଥୀ, ଏନ୍ ନୀଳମାଧବ ପାତ୍ର ଆଦି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର, ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.