ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଚାଷୀ…

youtube

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାରେ ମକା ଓ ଧାନର ଉଚିତ ମୂଲ୍ୟ ଦାବି ସହ ଧାନମଣ୍ଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଚାଲିଥିବା ଚାଷୀ ଆନ୍ଦୋଳନ ଅବଶେଷରେ ପ୍ରତ୍ୟାହୃତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମକାକୁ କ୍ଵିଣ୍ଟାଲ ପିଛା ୨୦୦୦ ଟଙ୍କା ଦରରେ କିଣାଯିବ ବୋଲି ପ୍ରତିଶୃତି ଦିଆଯାଇବା ପରେ, ତିନି ଦିନ ଧରି ଚାଲିଥିବା ରାସ୍ତାରୋକ ଆନ୍ଦୋଳନକୁ ଚାଷୀମାନେ ପ୍ରତ୍ୟାହାର କରିଛନ୍ତି।
ଉମରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳର କୃଷକ ମହାସଂଘ ପକ୍ଷରୁ ମକାର ଅଭାବି ବିକ୍ରି, ଧାନ ମଣ୍ଡି ବିଳମ୍ବ ଓ ଚାଷୀଙ୍କୁ ନ୍ୟାୟସଙ୍ଗତ ମୂଲ୍ୟ ନମିଳିବାର ପ୍ରତିବାଦରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନ ଫଳରେ ତିନୋଟି ବ୍ଲକରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା, ଯାହା ଫଳରେ ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲା।
ତୃତୀୟ ଦିନ ବିଳମ୍ବିତ ରାତିରେ ପ୍ରଶାସନିକ ଅଧିକାରୀ ଓ ଚାଷୀ ନେତାଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାରୁ ମକାକୁ ପ୍ରତି କ୍ଵିଣ୍ଟାଲ ୨୦୦୦ ଟଙ୍କା ଦରରେ କିଣାଯିବ ବୋଲି ନିଶ୍ଚୟତା ଦିଆଯାଇଥିଲା। ଏହା ସହ ଧାନମଣ୍ଡିକୁ ସ୍ୱାଭାବିକ ଭାବେ ଚାଲୁ କରିବା ପ୍ରତି ମଧ୍ୟ ପ୍ରତିଶୃତି ମିଳିଥିଲା।
ଚାଷୀ ନେତା ପ୍ରଦୀପ ମାଝୀ ସୂଚନା ଦେଇ କହିଛନ୍ତି ଯେ, ପ୍ରଶାସନର ପ୍ରତିଶୃତିକୁ ଧ୍ୟାନରେ ରଖି ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନାର ସମସ୍ତ ତଥ୍ୟ ଜଣାଇ ଦିଆଯାଇଥିଲା, ଯାହା ପରେ କୃଷକ ସଂଘ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ଆନ୍ଦୋଳନ ପ୍ରତ୍ୟାହାର ପରେ ନବରଙ୍ଗପୁର ଜିଲ୍ଲାର ତିନୋଟି ବ୍ଲକରେ ଗାଡ଼ି ଚଳାଚଳ ପୁନଃ ସ୍ୱାଭାବିକ ହୋଇଥିବା ବେଳେ ଧାନମଣ୍ଡି ମଧ୍ୟ ଚାଲୁ ହୋଇଛି। ତେବେ ଏହି ସମ୍ପୂର୍ଣ୍ଣ ଘଟଣା ସନ୍ଦର୍ଭରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.