
କାନାଡା: କାନାଡା ଟୋରଣ୍ଟୋ ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀଡ଼ିତ ଜଣଙ୍କ ହେଉଛନ୍ତି ୨୦ବର୍ଷୀୟ ଡକ୍ଟରେଟ୍ ଛାତ୍ର “ଶିବାଙ୍କ ଅବସ୍ଥି” । ପୁଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି ।
କାନାଡିୟ ଗଣମାଧ୍ୟମ ଅନୁସାରେ ଗତ ମଙ୍ଗଳବାର ଏହି ଗୁଳିକାଣ୍ଡ ଘଟିଥିଲା । ବୁଧବାର ଟୋରଣ୍ଟୋ ପୁଲିସ ପୀଡିତ ଶିବାଙ୍କ ଅବସ୍ଥିଙ୍କୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଛି । କାନାଡିୟ ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ବିଶ୍ୱବିଦ୍ୟାଳୟ ପରିସର ନିକଟରେ ଆହତ ବ୍ୟକ୍ତି ତଳେ ପଡ଼ିଥିବାର ସୂଚନା ପାଇଥିଲେ । ପୁଲିସ ଅଧିକାରୀମାନେ ପହଞ୍ଚିବା ପରେ ସେମାନେ ଜଣେ ଛାତ୍ରଙ୍କୁ ଗୁଳି ବାଜିଥିବା ଦେଖିଥିଲେ । ଘଟଣାସ୍ଥଳରେ ହିଁ ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଟୋରଣ୍ଟୋ ପୁଲିସ କହିଛି ଯେ, ପୁଲିସ ପହଞ୍ଚିବା ପୂର୍ବରୁ ସନ୍ଦିଗ୍ଧ ବ୍ୟକ୍ତି ଅଞ୍ଚଳରୁ ପଳାଇଯାଇଥିଲା । ତେବେ ବିଶ୍ବବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପରିସର ନିକଟରେ ମୃତ୍ୟୁ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । କିନ୍ତୁ ସେ ଜଣେ ଛାତ୍ର କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ମୁଖପାତ୍ର କହିଛନ୍ତି, ଆମେ ବର୍ତ୍ତମାନ ପୀଡିତାଙ୍କ ପରିଚୟ ଉପରେ ମତାମତ ଦେଇପାରିବୁ ନାହିଁ । ଆମେ ଆମର କ୍ୟାମ୍ପସ୍ ସୁରକ୍ଷା ଦଳ, ଟୋରଣ୍ଟୋ ପୁଲିସ ସେବା ଏବଂ ଜରୁରୀକାଳୀନ ଚିକିତ୍ସା ସେବା କର୍ମଚାରୀଙ୍କ ତୁରନ୍ତ ପ୍ରତିକ୍ରିୟା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ କୃତଜ୍ଞ ।