
ନୟାଗଡ଼, ୨୮/୧୨ (ନିସର୍ତ୍ତ) : ଆମ ଗାଁ ସାହିତ୍ୟ ସଂସ୍କୃତି ସଂସଦ ଓ ମାଟିର ବାସ୍ନା ସାହିତ୍ୟ ସଂସଦର ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଠାରେ ଏକ ଭବ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆମ ଗାଁ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ଜ୍ୟୋତି ରଞ୍ଜନ ଦାଶଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା ।

ଏହି କବିତା ଆସରରେ ଅତିଥି ଭାବେ ସଭାପତି ରଖେଲ ଚନ୍ଦ୍ର ମହାନ୍ତି, ସମ୍ପାଦିକା ସରସ୍ବତୀ ବାରିକ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାରଣା, ସୋନପୁର ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ, ଶିକ୍ଷାବିତ ପ୍ରଭାତ କୁମାର ପ୍ରଧାନ, କବି ଅଜୟ କୁମାର ପ୍ରଧାନ, ନବ କିଶୋର ରାୟ ପ୍ରମୁଖ ଯୋଗ ଦେଇ ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସଂସଦର ଆବାହକ ଗୋଦାବରୀଶ ଦାଶଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ଅବଦାନ ରଖିଥିବା ସମାଜସେବୀ ଚନ୍ଦ୍ରକାନ୍ତ ବେହେରା ଓ ଶିକ୍ଷାବିତ ପ୍ରଭାତ କୁମାର ପ୍ରଧାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି କବିତା ଆସରରେ ଭଦ୍ରକ, ରାଉରକେଲା, ମାଲକାନଗିରି, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ପ୍ରାୟ ୪୫ ଜଣ କବି–କବୟିତ୍ରୀ ଯୋଗଦେଇ ନିଜ ଆକର୍ଷଣୀୟ କବିତା ପାଠ କରି ସଭାକୁ ମନୋମୁଗ୍ଧ କରିଥିଲେ । ଆକର୍ଷଣୀୟ କବିତା ପାଠ ପାଇଁ ରଣପୁର ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ତଥା ଯୁବ କବି ସୁଶୀଲ କୁମାର ରଣା, କବି ଦାଶରଥୀ ଦାଶଙ୍କ ସମେତ ଅନ୍ୟାନ୍ୟ କବିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି ଅବସରରେ ନିଜ ଦକ୍ଷତା ବଳରେ ଡାକ୍ତରୀ ଶିକ୍ଷାରେ ସଫଳତା ଅର୍ଜନ କରିଥିବା ଅଙ୍କିତା ମିଶ୍ର, ମାନସ ରଞ୍ଜନ ବଳିୟାରସିଂହ, ରିତିକ ନରେନ୍ଦ୍ର ମହାପାତ୍ର, ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ ଜିଲ୍ଲା ଟପର ସୁଶ୍ରୀ ସାୟଂଶ୍ରୀ ଦାଶ, ଜାତୀୟ ସ୍ତରରେ ବକ୍ତୃତାରେ ସୁନାମ ଅର୍ଜନ କରିଥିବା ମନୀଷା ପତି ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରଣପୁର ବ୍ଲକ ଟପର ଆଦିତ୍ୟ ପ୍ରସାଦ ପତିଙ୍କୁ “ମଧୁସ୍ମିତା ମେଧା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ “ଗାଁ ମହକ” ନାମକ ପତ୍ରିକା ଉନ୍ମୋଚନ କରାଯାଇଥିବା ସହ ସ୍ଥାନୀୟ କୃଷକ, କଳାକାର ଓ ସମାଜସେବୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କବି ଗୋଦାବରୀ ନାୟକ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।